ପାରଳାଖେମୁଣ୍ଡି:
ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିବା ଅଭିଯୋଗରେ ପାରଳାଖେମୁଣ୍ଡି ପୁଲିସ ଏକ ଗୋଦାମ ଉପରେ ଚଢ଼ାଉ କରି ତାହାକୁ ସିଲ୍ କରିଛି। ଚଢ଼ାଉ ବେଳେ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ ହୋଇଥିବା ବେଳେ ଗୋଦାମ ମାଲିକଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡି ଉପକଣ୍ଠ ରାଣୀପେଣ୍ଠ ଯିବା ରାସ୍ତାକଡ଼ରେ ଲାଡି ରମେଶ ନାମକ ଜଣେ ବ୍ୟକ୍ତିଙ୍କ ବାଣ ଦୋକାନ ତଥା ଗୋଦାମ ରହିଛି। ସେଠାରେ ବେଆଇନ ଭାବେ ବାଣ ଗଚ୍ଛିତ ଥିବା ଖବର ପାଇ ପୁଲିସ ଟିମ୍ ହଠାତ୍ ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ଗୋଦାମରେ ବହୁ ପରିମାଣର ବାଣ ମହଜୁଦ ଥିବା ଦେଖିବାକୁ ମିଳିଥିଲା।
ତେବେ ଏହି ବାଣ ସଂରକ୍ଷଣ ଓ ବିକ୍ରି ପାଇଁ ଆବଶ୍ୟକ କୌଣସି ବୈଧ ଲାଇସେନ୍ସ କିମ୍ବା ସରକାରୀ ଦସ୍ତାବିଜ ମାଲିକ ଦେଖାଇ ପାରି ନଥିଲେ। ଫଳରେ ପୁଲିସ ସମସ୍ତ ବାଣକୁ ଜବତ କରିବା ସହ ଉକ୍ତ ଗୋଦାମକୁ ସିଲ୍ କରିଦେଇଛି।
ଏହି ଘଟଣାରେ ଦୋକାନ ମାଲିକଙ୍କୁ ଥାନାରେ ଅଟକ ରଖାଯାଇଛି। ଏତେ ପରିମାଣର ବାଣ କେଉଁଠାରୁ ଏବଂ କିପରି ଅଣାଯାଇଥିଲା, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
