ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ବିଷ ପିଆଇ ହତ୍ୟା, ୧୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ପାରଳାଖେମୁଣ୍ଡି: ୨୦୨୧ ମସିହାର ବହୁ ଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଥିବା ଏହି ନୃଶଂସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ମସିହା ଜୁନ୍ ୧୨ ତାରିଖରେ ଅଡ଼ବା ଥାନା ଅନ୍ତର୍ଗତ ମୁଠାଗୁଡ଼ା ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମର ଲୁକ ଦଳବେହେରା ଏବଂ ତାଙ୍କ ପୁଅ ଅନୁକ ଦଳବେହେରାଙ୍କୁ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ବାପ-ପୁଅଙ୍କୁ ନିର୍ମମ ଭାବେ ମାଡ଼ ମାରିବା ପରେ ଜୋରଜବରଦସ୍ତ ବିଷ ପିଆଇ ଦେଇଥିଲେ, ଯାହାଫଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ଏହି ବିଭତ୍ସ କାଣ୍ଡ ପରେ ଜୁନ୍ ୧୩ ତାରିଖରେ ମୃତକ ଲୁକଙ୍କ ଝିଅ ଲୁଧିଆ ଦଳବେହେରା ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତତ୍କାଳୀନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମାମଲାର ତଦନ୍ତ ଭାର ଗ୍ରହଣ କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ।
ଅଦାଲତରେ ମାମଲାର ଶୁଣାଣି ସମୟରେ କୋର୍ଟ ମୋଟ ୨୩ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୭ ଗୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟପ୍ରମାଣକୁ ଗ୍ରହଣ କରିଥିଲେ। ସମସ୍ତ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଏଡିଜେ ହର ପ୍ରସାଦ ପଟ୍ଟନାୟକ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ନିଷ୍ପତ୍ତି ବାବଦରେ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.