ଜିଏସଟି ବିଲ୍ ନ ଦେଇ ଟ୍ରାନ୍ସପୋର୍ଟ ସଂସ୍ଥା ହଟହଟା: ୮ ହଜାର ଟଙ୍କା କ୍ଷତିପୂରଣ ସହ ବିଲ୍ ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲା ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର : ସମ୍ପୂର୍ଣ୍ଣ ଭଡ଼ା ଓ ଟିକସ ରାଶି ନେଇ ମଧ୍ୟ ବୈଧ ଜିଏସଟି (GST) ଟାକ୍ସ ଇନଭଏସ୍ ନ ଯୋଗାଇବା ଏକ ପରିବହନ ସଂସ୍ଥାକୁ ମହଙ୍ଗା ପଡ଼ିଛି। ଗ୍ରାହକଙ୍କୁ ଉପଯୁକ୍ତ ବିଲ୍ ପ୍ରଦାନ କରିବା ସହ ମାନସିକ ନିର୍ଯାତନା ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୮,୦୦୦ ଟଙ୍କା କ୍ଷତିପୂରଣ ଦେବା ପାଇଁ ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କଳାବାଡ଼ ଅନ୍ତର୍ଗତ ବଡ଼ବାରଙ୍ଗ ଗ୍ରାମର ‘ସିଦ୍ଧ ବାରାହୀ ସିଡ୍ସ’ର ମାଲିକ ଶୁଭେନ କୁମାର ପାଣିଗ୍ରାହୀ ମହାରାଷ୍ଟ୍ରର ଅକୋଲାରୁ ଯନ୍ତ୍ରାଂଶ ଆଣିବା ପାଇଁ ମହାରାଷ୍ଟ୍ର ବୁଲଢାଣାର ‘ଆନନ୍ଦ ଟ୍ରାନ୍ସପୋର୍ଟ’ (ମାଲିକ: ସନ୍ତୋଷ ରାଜାରାମ ଯାଦବ)କୁ ନିୟୋଜିତ କରିଥିଲେ। ଦୁଇଟି ପର୍ଯ୍ୟାୟରେ ମାଲ ପରିବହନ ବାବଦକୁ ଟିକସ ସମେତ ମୋଟ ୧,୩୦,୦୦୦ ଟଙ୍କା ଟ୍ରାନ୍ସପୋର୍ଟ ସଂସ୍ଥାକୁ ପୈଠ କରାଯାଇଥିଲା। କିନ୍ତୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଟ୍ରାନ୍ସପୋର୍ଟ ମାଲିକ ବୈଧ ଜିଏସଟି ବିଲ୍ ପ୍ରଦାନ ନ କରି ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ। ଫଳରେ କୃଷି ବିଭାଗରୁ ମିଳିବାକୁ ଥିବା ସବସିଡି ପ୍ରୋତ୍ସାହନ ରାଶିରୁ ଅଭିଯୋଗକାରୀ ବଞ୍ଚିତ ହୋଇଥିଲେ। କୌଣସି ଉପାୟ ନ ପାଇ ସେ ଗଞ୍ଜାମ ଜିଲ୍ଲା ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅଦାଲତଙ୍କ ପକ୍ଷରୁ ନୋଟିସ୍ ପଠାଯାଇଥିଲେ ମଧ୍ୟ ବିପକ୍ଷ ଟ୍ରାନ୍ସପୋର୍ଟର ତାହା ଗ୍ରହଣ ନ କରି ଫେରାଇ ଦେଇଥିଲେ। ଏହାକୁ ଆଧାର କରି ଆୟୋଗ ଏକତରଫା (Ex-parte) ଶୁଣାଣି କରିଥିଲେ।

ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଓ ମହିଳା ସଦସ୍ୟା ସରିତ୍ରୀ ପଟ୍ଟନାୟକ ଏହି ମାମଲାର ବିଚାର କରି କହିଛନ୍ତି ଯେ, ସମ୍ପୂର୍ଣ୍ଣ ଟିକସ ନେଇ ମଧ୍ୟ ଆଇନଗତ ବିଲ୍ ପ୍ରଦାନ ନ କରିବା ଖାଉଟି ସୁରକ୍ଷା ଆଇନ ଅନୁଯାଇ ସେବାରେ ଘୋର ତ୍ରୁଟି ଏବଂ ଅନୁଚିତ ବ୍ୟାବସାୟିକ ଆଚରଣ। ଆଦେଶନାମା ଅନୁଯାୟୀ:

୧) ଟ୍ରାନ୍ସପୋର୍ଟ ସଂସ୍ଥା ଆଦେଶ ପାଇବାର ୩୦ ଦିନ ମଧ୍ୟରେ ଅଭିଯୋଗକାରୀଙ୍କୁ ଉଭୟ ବିଲ୍ ବାବଦକୁ ବୈଧ ଜିଏସଟି ଇନଭଏସ୍ ପ୍ରଦାନ କରିବ।
୨) ସେବାରେ ତ୍ରୁଟି ଓ ମାନସିକ ନିର୍ଯାତନା ପାଇଁ ୫,୦୦୦ ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୩,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବ।
ଧାର୍ଯ୍ୟ ସମୟ ୩୦ ଦିନ ସମୟ ସୀମା ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ ନ କଲେ ବାର୍ଷିକ ୯ ପ୍ରତିଶତ ସୁଧ ସହିତ ଜରିମାନା ଆଦାୟ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ad-week
Leave A Reply

Your email address will not be published.