ମୋଟୁ, ୧୭/୯: ବନ୍ୟଜନ୍ତୁଙ୍କୁ ବେଆଇନ ଭାବେ ପରିବହନ କରାଯାଉଥିବା ନେଇ ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଅଭିଯାନ କରାଯାଇଥିଲା। ୧୬ ସେପ୍ଟେମ୍ବର ୨୦୨୬ରେ ମୋଟୁ ଅଞ୍ଚଳର ଏମ୍ପିଭି-୫୩ ଗାଁ ନିକଟ କେନାଲ ରୋଡ୍ରେ ଏହି ଅଭିଯାନ ହୋଇଥିଲା।
ଅଭିଯାନ ସମୟରେ ଓଡି-୩୦-୩୭୧୬ ଓ ଓଡି-୩୦-୪୮୩୭ ନମ୍ବର ବିଶିଷ୍ଟ ୨ଟି ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ମୋଟ ୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଚ ବେଆଇନ ଭାବେ ପରିବହନ କରାଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଦୁଇଟି ମୋଟରସାଇକେଲ ସହ ସମସ୍ତ କଇଁଚକୁ ଜବତ କରାଯାଇଥିଲା।
ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଧରି ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରବାଶ ଜୋଧନ (୩୭), ଏମ୍ଭି-୧୧୪; ନାନ୍ଦେ ମଣ୍ଡଳ (୫୪), ଏମ୍ଭି-୧୧୪; ଲକ୍ଷ୍ମୀପଦ ମାଳି (୬୦), ଏମ୍ପିଭି-୪୭ ଏବଂ ରମ୍ମାରାଜନ ମଣ୍ଡଳ (୪୦), ଏମ୍ପିଭି-୪୭।
ଏନେଇ ମୋଟୁ ରେଞ୍ଜ ପକ୍ଷରୁ ଫରେଷ୍ଟ କେସ୍ ନମ୍ବର OR-20/2026-27 ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ବେଆଇନ ଭାବେ ବନ୍ୟଜନ୍ତୁ ରଖିବା ଓ ପରିବହନ ଅଭିଯୋଗରେ ତଦନ୍ତ ଆରମ୍ଭ ହୋଇଛି।
ଉଦ୍ଧାର ହୋଇଥିବା ୫୫ଟି ଜୀବନ୍ତ କଇଁଚକୁ ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ଯୋଗାଇ ଦିଆଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
