“SUJOG” ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ସୁବିଧା

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଆଗ୍ରିଗେଟର୍ ସେବା SBIePay ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ “SUJOG” ପ୍ଲାଟଫର୍ମ ଜରିଆରେ ନାଗରିକଙ୍କୁ ସୁଗମ, ସୁରକ୍ଷିତ ଓ ନାଗରିକକୈନ୍ଦ୍ରିକ ପେମେଣ୍ଟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ କରାଯାଇଛି ।

ଏହି ସହଭାଗିତା ଫଳରେ ନାଗରିକମାନେ “SUJOG” ପ୍ଲାଟଫର୍ମ ଜରିଆରେ ବିଭିନ୍ନ ପୌର ସେବା, ଟିକସ, ଫି’ ଏବଂ ୟୁଟିଲିଟି ଚାର୍ଜ ପାଇଁ ଅନ୍‌ଲାଇନ୍‌ରେ ପେମେଣ୍ଟ କରିପାରିବେ । ଏଥିପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଡିଜିଟାଲ୍ ୱାଲେଟ୍‌ ଭଳି ବିଭିନ୍ନ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ଉପଲବ୍ଧ ହେବ ।

ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ନାଗରିକଙ୍କ ପାଇଁ ସରକାରୀ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଓ ସହଜ କରିବା ସହିତ ନିୟମିତ ପୌର କାରବାର ପାଇଁ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତାକୁ କମାଇବା । ଏହା ସହରାଞ୍ଚଳ ଶାସନରେ ସ୍ୱଚ୍ଛତା, ଦକ୍ଷତା ଓ ପେମେଣ୍ଟ ପ୍ରକ୍ରିୟାର ସୁଗମତାକୁ ଆହୁରି ବଢ଼ାଇବ ।

ଏହି ପେମେଣ୍ଟ ବ୍ୟବସ୍ଥାର ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ସଂଗୃହୀତ ଅର୍ଥର ସୁଗମ ସେଟଲମେଣ୍ଟ ବ୍ୟବସ୍ଥା । ପେମେଣ୍ଟ ଗେଟୱେ ଜରିଆରେ ପ୍ରାପ୍ତ ଅର୍ଥ ସମ୍ପୃକ୍ତ ପୌର ସଂସ୍ଥା ଗୁଡ଼ିକର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ T+1 ବ୍ୟବସାୟିକ ଦିବସ ଆଧାରରେ ସିଧାସଳଖ ସେଟଲମେଣ୍ଟ କରାଯିବ । ଫଳରେ ସଂଗ୍ରହର ସ୍ୱଚ୍ଛ ହିସାବ, ମେଳକରଣ ଓ ଟ୍ରାକିଂ ସମ୍ଭବ ହେବ । ଏହା ଡିଜିଟାଲ୍ ପେମେଣ୍ଟ ସେବାରେ ଅଧିକ ସ୍ୱଚ୍ଛତା ଆଣିବା ସହ ନାଗରିକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବ।

ଏହି ଅବସରରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ‘SUJOG’ ପ୍ଲାଟଫର୍ମକୁ ସୁଦୃଢ଼ କରିବାରେ ଷ୍ଟେଟବ୍ୟାଙ୍କ ତରଫରୁ ମିଳିଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ଏହି ସହଭାଗିତା ଡିଜିଟାଲ୍ ମାଧ୍ୟମରେ ନାଗରିକ ସେବାର ଦକ୍ଷତା, ସୁବିଧା ଓ ସହଜଲଭ୍ୟତାକୁ ଆହୁରି ବଢ଼ାଇବାରେ ସହାୟକ ହେବ ।

ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ ସାହୁ ଏବଂ SBI ପକ୍ଷରୁ DGM, D&TB ସୁଶାନ୍ତ କୁମାର ଦାଶ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏସ୍ ବି ଆଇ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ଷ୍ଟେଟବ୍ୟାଙ୍କ ଓଡ଼ିଶା ସର୍କଲ୍‌ର ମୁଖ୍ୟ ମହାପ୍ରବନ୍ଧକ ରାକେଶ ଯାଦବ ଏହି ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନ ଏବଂ SUJOG ଅଧୀନରେ ଡିଜିଟାଲ୍ ପେମେଣ୍ଟ ପରିବେଶକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇଦିଆଯିବ ବୋଲି ଆଶ୍ୱାସନ ଦେଇଥିଲେ ।

ଏହି ସହଭାଗିତା ଓଡ଼ିଶାର ଡିଜିଟାଲ୍ ସହରାଞ୍ଚଳ ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପୌର ସେବା ପ୍ରଦାନ ବ୍ୟବସ୍ଥା ସହ ଏକ ସମନ୍ୱିତ ଓ ସୁରକ୍ଷିତ ପେମେଣ୍ଟ ଗେଟୱେକୁ ସଂଯୋଜନ କରିବା ଫଳରେ ରାଜ୍ୟର ନାଗରିକମାନଙ୍କ ପାଇଁ ସହରାଞ୍ଚଳ ଟିକସ, ଫି’ ଓ ୟୁଟିଲିଟି ଚାର୍ଜ ପୈଠ କରିବା ଅଧିକ ଦ୍ରୁତ, ସରଳ, ସୁରକ୍ଷିତ ଓ ସୁବିଧାଜନକ ହୋଇପାରିବ।

ad-week
Leave A Reply

Your email address will not be published.