ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା; ପ୍ରଧାନଶିକ୍ଷକ ନିଲମ୍ବିତ

ପାତ୍ରପୁର: ପ୍ରଧାନଶିକ୍ଷକଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ପଡିଲା ମହଙ୍ଗା । ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ମହଙ୍ଗା ପଡିଛି । ଏହି ଘଟଣାରେ ପ୍ରଧାନଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି ।

ସୂଚନାଥାଉକି, ଗୁରୁବାର ଏହି ବିଦ୍ୟାଳୟରେ ମାତ୍ର ୬ ଜଣ ଛାତ୍ରୀଛାତ୍ର ଆସିଥିଲେ । ଫଳରେ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟିକରି ତାଲା ପକାଇ ଘରକୁ ଚାଲିଯାଇଥିଲେ। ଏନେଇ ବିଇଓଙ୍କ ଦୃଷ୍ଟିକୁ ଆସିବା ପରେ ସ୍ଥାନୀୟ ସିଆର୍‌ସିସି ଶିସ୍ତୁଭକ୍ତ ସିହ୍ନା ଓ ଏବିଇଓ ସୁଶୀଲ ପାତ୍ରଙ୍କୁ ତଦାରଖ ପାଇଁ ପଠାଇଥିଲେ। ଦୁଇ ଅଧିକାରୀ ଅପରାହ୍ନ ଦୁଇଟାରେ ବିଦ୍ୟାଳୟରେ ପହଞ୍ଚିଥିଲେ ଓ ବିଦ୍ୟାଳୟ ବନ୍ଦ ଥିବା ଦେଖି ବିଇଓ ସୀତାରାମ ପାତ୍ରଙ୍କୁ ରିପୋର୍ଟ କରିଥିଲେ। ଏହାକୁ ଭିତ୍ତି କରି ଚିଠି ନମ୍ବର ୧୨୫୩/୨୬ ଅନୁସାରେ ପ୍ରଧାନଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି।

ଏପଟେ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରେ ୬୯ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ୫ ଜଣ ଶିକ୍ଷକ ରହିଛନ୍ତି । ଗୁରୁବାର ବିଦ୍ୟାଳୟରେ ୬ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥିବା ବେଳେ ମଧ୍ୟାହ୍ନଭୋଜନ ଉପସ୍ଥାନ ଖାତାରେ ୬୬ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥିବା ଏବଂ ସେମାନେ ମଧ୍ୟାହ୍ନ ଭୋଜନ ଖାଇଛନ୍ତି ବୋଲି ଦର୍ଶାଯାଇଥିବା କେତେଜଣ ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.