ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ନୂତନ ଶିକ୍ଷକ ନିଯୁକ୍ତ : ଓଏସ୍ଏସ୍ଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ; ୨୪ଟି ଉଚ୍ଚ ବିଦ୍ୟାଳୟରେ ମିଳିବ ନିଯୁକ୍ତି
ମାଲକାନଗିରି: ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୧୯ ଜଣ ନୂତନ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଓଏସ୍ଏସ୍ଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ଶିକ୍ଷକମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାର ୩୨ ଜଣ ଥିବାବେଳେ ଅନ୍ୟ ୮୭ ଜଣ ମଧ୍ୟ ଆଜି ନୂତନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି।
ପୂର୍ବରୁ ମୋଟ ୧୨୩ ଜଣ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଥିଲା। ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୩ ଜଣ ଉଚ୍ଚ ପଦବୀରେ ନିଯୁକ୍ତି ପାଇଥିବାରୁ ବର୍ତ୍ତମାନ ୧୧୯ ଜଣ ନିଯୁକ୍ତି ପାଇଛନ୍ତି।
ଜିଲ୍ଲାର ୨୪ଟି ଉଚ୍ଚ ବିଦ୍ୟାଳୟ ସମେତ ଯେଉଁ ସ୍ଥାନଗୁଡ଼ିକରେ ଶିକ୍ଷକଙ୍କ ଆବଶ୍ୟକତା ରହିଛି, ସେଠାରେ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବ। କେଉଁ ଶିକ୍ଷକଙ୍କୁ କେଉଁ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ, ତାହା ନିଯୁକ୍ତି ମେଳାରେ ଜଣାପଡ଼ିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି।
ନୂତନ ଶିକ୍ଷକଙ୍କ ନିଯୁକ୍ତି ଦ୍ୱାରା ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ କିଛି ମାତ୍ରାରେ ଦୂର ହେବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନର ଗୁଣାତ୍ମକ ମାନ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ବୃଦ୍ଧିରେ ଏହା ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପ୍ରକାଶ ପାଇଛି।
