ନରାଜରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସିଲିକନ୍ ଭ୍ୟାଲି’; ସେମିକନ୍ ଇଣ୍ଡିଆରୁ ମିଳିଲା ୨୩,୬୦୦ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ସେମିକଣ୍ଡକ୍ଟର ଓ ଆଡଭାନ୍ସ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ବଡ଼ ପଦକ୍ଷେପ। କଟକର ନରାଜରେ ୮୭୦ ଏକର ଜମିରେ ପ୍ରତିଷ୍ଠା ହେବ ‘ଓଡ଼ିଶା ସିଲିକନ୍ ଭ୍ୟାଲି’। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଶିଳ୍ପ ପାଇଁ ଏହାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବ୍‌ ଭାବେ ବିକଶିତ କରିବାର ଯୋଜନା ରହିଛି। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏହି ସମ୍ମିଳନୀରୁ ଓଡ଼ିଶା ପାଇଁ ପ୍ରାୟ ୨୩ ହଜାର ୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ବେଳେ, ଏହା ମାଧ୍ୟମରେ ପ୍ରାୟ ୬,୧୦୦ ନୂଆ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ନରାଜରେ ପ୍ରସ୍ତାବିତ ସିଲିକନ୍ ଭ୍ୟାଲି କଟକ-ଭୁବନେଶ୍ୱର ସହରାଞ୍ଚଳ କରିଡରରେ ରହିବ। ଏହା ସହିତ ପାରାଦୀପ ଓ ଧାମରା ବନ୍ଦର ଏବଂ ପ୍ରମୁଖ ଜାତୀୟ ରାଜପଥର ସଂଯୋଗ ରହିଥିବାରୁ ସେମିକଣ୍ଡକ୍ଟର ଉତ୍ପାଦନ, ଲଜିଷ୍ଟିକ୍ସ ଓ ଆନୁଷଙ୍ଗିକ ଶିଳ୍ପ ପାଇଁ ଏହା ଉପଯୋଗୀ ହେବ ବୋଲି ସରକାର କହିଛନ୍ତି। ସେମିକନ୍ ଇଣ୍ଡିଆରେ ୧୮ଟି କମ୍ପାନୀ ସହ ୱାନ୍-ଟୁ-ୱାନ୍ ଆଲୋଚନା, ୫ଟି କମ୍ପାନୀ ସହ ରାଉଣ୍ଡଟେବୁଲ୍ ବୈଠକ ହୋଇଥିଲା। ଏଥିସହ ୩ଟି କମ୍ପାନୀ ଓଡ଼ିଶା ସହ ଲେଟର ଅଫ୍ ଇଣ୍ଟେଣ୍ଟ୍‌ ସ୍ୱାକ୍ଷର କରିଛନ୍ତି। ସେମାନଙ୍କ ମଧ୍ୟରେ କ୍ବାଡ୍ କ୍ବାଣ୍ଟମ୍ ସହ ସିଲିକନ୍ କାର୍ବାଇଡ୍‌ (SiC) ସବଷ୍ଟ୍ରେଟ୍ ୱେଫର ଉତ୍ପାଦନ ପାଇଁ ଲେଟର ଅଫ୍ ଇଣ୍ଟେଣ୍ଟ୍ ସ୍ୱାକ୍ଷର ହୋଇଛି।

ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶକୁ ଆକର୍ଷିତ କରିବାକୁ ଓଡ଼ିଶା ସରକାର ସେମିକଣ୍ଡକ୍ଟର ନୀତିରେ ସଂଶୋଧନ କରିଛନ୍ତି। ISM ଅନୁମୋଦିତ ପ୍ରକଳ୍ପଗୁଡ଼ିକ ପାଇଁ ସେମିକଣ୍ଡକ୍ଟର ଉପକରଣ, ବିଶେଷ ଗ୍ୟାସ୍, କଞ୍ଚାମାଲ ଓ ସପ୍ଲାଏ ଚେନ୍‌ କ୍ଷେତ୍ରରେ ଅତିରିକ୍ତ ୨୫ ପ୍ରତିଶତ ଆର୍ଥିକ ସହାୟତା ବ୍ୟବସ୍ଥା କରାଯାଇଛି। ଏହା ସହ IIT ଭୁବନେଶ୍ୱରର ସହଭାଗିତାରେ ୪୫୨ କୋଟି ଟଙ୍କାର ଇଣ୍ଟିଗ୍ରେଟେଡ୍ ପାୱାର ଇଲେକ୍ଟ୍ରୋନିକ୍ସ ଉପରେ ଜାତୀୟ ଶିଳ୍ପ ସହ-ବିକାଶ କେନ୍ଦ୍ର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।। ଏଥିରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଯୋଗାଇବେ। ଏହାଦ୍ୱାରା ରାଜ୍ୟର ମେଧାବୀ ଉଚ୍ଚଶିକ୍ଷିତ ଯୁବପିଢି ବିଦେଶ ନ ଯାଇ ନିଜ ରାଜ୍ୟରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଓଡ଼ିଶା ‘ମାଇନ୍ ଇକୋନୋମି’ରୁ ‘ମାଇଣ୍ଡ ଇକୋନୋମି’ ଦିଗକୁ ଆଗକୁ ବଢ଼ୁଛି।

ad-week
Leave A Reply

Your email address will not be published.