ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ମାଲକାନଗିରି AEEଙ୍କ ୬ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

୨ଟି ବହୁତଳ କୋଠା, ୬ଟି ମୂଲ୍ୟବାନ ଜମି ଓ ୪ ଚକିଆ ସମେତ ଏକାଧିକ ଯାନ ଠାବ

ମାଲକାନଗିରି, ୨୭/୦୯ : ଆୟର ଜଣାଶୁଣା ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ବିଭିନ୍ନ ସ୍ଥାନରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସୀ କରାଯାଇଛି। ଶ୍ରୀ ଦାଶ ମାଲକାନଗିରି ଡିଆର୍‌ଡିଏରେ ସଂଲଗ୍ନ ଥିବା ଜଣାପଡ଼ିଛି।

ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ତଲାସୀ ଆଦେଶ ବଳରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ମୋଟ ୬ଟି ସ୍ଥାନରେ ଏହି ତଲାସୀ ଚାଲିଛି। ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୫ ଜଣ ଉପ-ଆରକ୍ଷୀ ଅଧୀକ୍ଷକ, ୫ ଜଣ ନିରୀକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଦଳ ତଲାସୀ ଜାରି ରଖିଛି।

ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ବରମୁଣ୍ଡାରେ ଥିବା ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରର ୨ ମହଲା କୋଠା, ଗଞ୍ଜାମ ଗୋବରାସ୍ଥିତ ବାସୁଦେବପୁରର ଏକ ଘର, ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିର ଭଡ଼ା ଘର ଏବଂ ଡିଆର୍‌ଡିଏ କାର୍ଯ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟକକ୍ଷରେ ତଲାସୀ କରାଯାଉଛି।

ତଲାସୀ ସମୟରେ ଏପର୍ଯ୍ୟନ୍ତ ଶ୍ରୀ ଦାଶ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ଦୁଇଟି ବହୁତଳ କୋଠା ଓ ୬ଟି ମୂଲ୍ୟବାନ ଜମି ସମ୍ପର୍କରେ ଭିଜିଲାନ୍ସ ତଥ୍ୟ ପାଇଛି।

ଭୁବନେଶ୍ୱର ବରମୁଣ୍ଡାରେ ପ୍ରାୟ ୬,୭୬୦ ବର୍ଗଫୁଟର ୪ ମହଲା କୋଠା ଏବଂ ବ୍ରହ୍ମପୁର ନୀଳାଚଳ ନଗରରେ ପ୍ରାୟ ୨,୫୦୦ ବର୍ଗଫୁଟର ୨ ମହଲା କୋଠା ଠାବ ହୋଇଛି।

ସେହିପରି ବ୍ରହ୍ମପୁରରେ ୩ଟି, ପୁରୀରେ ୧ଟି, ଖୋର୍ଦ୍ଧାରେ ୧ଟି ଏବଂ ଗଞ୍ଜାମ ଜିଲ୍ଲା ଗୋବରାରେ ୧ଟି ସମେତ ମୋଟ ୬ଟି ମୂଲ୍ୟବାନ ଜମି ଠାବ ହୋଇଛି।

ଏହାବ୍ୟତୀତ ଗୋଟିଏ ହୁଣ୍ଡାଇ ଆଇ-୧୦ କାର୍‌ ଏବଂ ୟାମାହା ଏଫ୍‌ଜେଡ୍‌ଏସ୍‌, ହିରୋ ସ୍ପ୍ଲେଣ୍ଡର ଓ ୟାମାହା ସାଇଗ୍ନସ୍‌ ସମେତ ୩ଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି।

ଠାବ ହୋଇଥିବା କୋଠା ଓ ଜମିଗୁଡ଼ିକର ମାପ ଏବଂ ମୂଲ୍ୟାୟନ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ କରାଯାଉଛି। ବ୍ୟାଙ୍କ ଓ ଡାକଘରରେ ଥିବା ଜମାରାଶି ଏବଂ ଅନ୍ୟାନ୍ୟ ବିନିଯୋଗର ମଧ୍ୟ ଯାଞ୍ଚ ଚାଲିଛି।

ତଲାସୀ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଥିବାରୁ ଆହୁରି ସମ୍ପତ୍ତି ଓ ଆର୍ଥିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ତଲାସୀ ଶେଷ ହେବା ପରେ ମୋଟ ସମ୍ପତ୍ତିର ମୂଲ୍ୟ ଓ ମାମଲା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ।

ad-week
Leave A Reply

Your email address will not be published.