ବାଲିଗୁଡ଼ା,ତା, ୩୦/୦୯: ଆସୁଛି ଦୁର୍ଗାପୂଜା। ମା’ଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲିଗୁଡ଼ା ସହର। ବାଲିଗୁଡା ର ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତି ଓ ବିଦ୍ୟୁତ ବିଭାଗ ଦୁର୍ଗାପୂଜା କମିଟି ସମେତ ଆଖପାଖ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ହୋଇପଡ଼ିଛନ୍ତି କାରିଗର ମାନେ। ମାଟି, କୁଶ ଓ ବାଉଁଶରେ ମା’ ଦୁର୍ଗାଙ୍କ ରୂପକୁ ଜୀବନ୍ତ କରିବା ପାଇଁ ଦିନରାତି ଏକ କରି ଦେଉଛନ୍ତି ଶିଳ୍ପୀ। ପ୍ରଥମେ ମୂର୍ତ୍ତିର ଢାଞ୍ଚା ପ୍ରସ୍ତୁତି ପରେ ମାଟିର ପରସ୍ତ ପରସ୍ତ ଲେପ ଦେଇ ଦେବୀଙ୍କ ଆକୃତି ଗଢ଼ାଯାଉଛି। ଏହାପରେ ରଙ୍ଗ ଓ ଅଳଙ୍କାରରେ ମା’ଙ୍କୁ ସଜାଇବା ପାଇଁ ଚାଲିଛି ଶେଷ ପର୍ଯ୍ୟାୟର କାମ। ମୂର୍ତ୍ତିର ଆକାର, ଚକ୍ଷୁ, ମୁଖାଭିନୟ ଓ ଅଳଙ୍କାରରେ ନିଜ କଳାନୈପୁଣ୍ୟର ଛାପ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି କାରିଗର। ଦୁର୍ଗାପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ସହ ଜଡ଼ିତ ରହିଛି ଅନେକ କାରିଗରଙ୍କ ଜୀବିକା। ପୂଜା ଯେତିକି ପାଖେଇ ଆସୁଛି, ମୂର୍ତ୍ତି ନିର୍ମାଣ କାମରେ ସେତିକି ବଢ଼ୁଛି ବ୍ୟସ୍ତତା। ମା’ଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଇ ଭକ୍ତଙ୍କ ଆଗରେ ଆକର୍ଷଣୀୟ ରୂପରେ ଉପସ୍ଥାପନ କରିବାକୁ କାରିଗରମାନେ ଏବେ ପୂରା ତତ୍ପର।
