ଆସନ୍ତା କାଲି ଦିଲ୍ଲୀରେ ବିଜେପି-ଇଣ୍ଡି ମେଣ୍ଟ ମୁହାଁମୁହିଁ ! ୫ ହଜାର ଲୋକଙ୍କୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି

puja26

ନୂଆଦିଲ୍ଲୀ: ନଭେମ୍ବର ୧ରେ ଦିଲ୍ଲୀରେ ଦେଖିବାକୁ ମିଳିବ ବିଜେପି ଓ କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ ମଧ୍ୟରେ ବଡ଼ ରାଜନୈତିକ ଲଢ଼େଇ। ଗୋଟିଏ ପଟେ ଦିଲ୍ଲୀର ରାମଲୀଳା ମୈଦାନରେ ବିରୋଧୀ ମେଣ୍ଟର ମହାରାଲି ଆୟୋଜିତ ହେଉଥିବା ବେଳେ ଅନ୍ୟପଟେ ଏହାର ଜବାବରେ ଶକ୍ତି ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇବ ବିଜେପି। ପ୍ରାୟ ୫ ହଜାର ଲୋକଙ୍କୁ ନେଇ ଦଳ ଏକ ବିଶାଳ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତି ଚଳାଇଛି। ଏହି ଶୋଭାଯାତ୍ରାରେ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗାର ପୀଡ଼ିତ ଏବଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ହେବେ।

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ଶୋଭାଯାତ୍ରାର ନେତୃତ୍ୱ ନେବେ। ନଭେମ୍ବର ୧ ତାରିଖ ରବିବାର ସକାଳ ୧୧ଟାରେ ଦିଲ୍ଲୀର ହରିନଗର ଅଞ୍ଚଳରେ ଏହା ଆୟୋଜିତ ହେବ। ବିଜେପିର ଅନେକ ବରିଷ୍ଠ ନେତା ଏବଂ ଦଳର ଶିଖ୍ ନେତାମାନେ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ହେବେ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗାରେ ପ୍ରଭାବିତ ହୋଇଥିବା ପରିବାର। ସେମାନଙ୍କ ଯୋଗଦାନ ଜରିଆରେ ୧୯୮୪ ମସିହାର ହିଂସା ଘଟଣାକୁ ପୁଣିଥରେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରକୁ ଆଣିବାକୁ ବିଜେପି ଉଦ୍ୟମ କରୁଛି।

ଅନ୍ୟପଟେ ନଭେମ୍ବର ୧ରେ ରାମଲୀଳା ମୈଦାନରେ ବିରୋଧୀ INDIA ମେଣ୍ଟ ପକ୍ଷରୁ ‘ଚଲୋ ଦିଲ୍ଲୀ ରାମଲୀଳା ମାର୍ଚ୍ଚ’ ନାମରେ ଏକ ବଡ଼ ରାଲି ଆୟୋଜନ କରାଯାଉଛି। ଏହି ରାଲିର ପ୍ରସ୍ତୁତି ନେଇ ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବିରୋଧୀ ଦଳର ନେତାମାନେ ବୈଠକ କରିଥିଲେ। ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଉଠାଇବାକୁ ବିରୋଧୀ ମେଣ୍ଟ ଯୋଜନା କରିଛି। ଏହି ରାଲିରେ ଦେଶର ବିଭିନ୍ନ ରାଜ୍ୟରୁ ରାଜନୈତିକ ନେତା ଓ କର୍ମୀ ଯୋଗଦେବା ଆଶା କରାଯାଉଛି। ଦକ୍ଷିଣ ଭାରତର ଅନେକ ବିରୋଧୀ ଦଳ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ଅନେକ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ରାଲିରେ ଯୋଗଦେଇପାରନ୍ତି।

ବିରୋଧୀ ମେଣ୍ଟର ଏହି ରାଲିକୁ ନେଇ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କଂଗ୍ରେସକୁ ସମାଲୋଚନା କରିଛନ୍ତି। ତାଙ୍କ ମତରେ, ପାର୍ବଣ ଋତୁରେ ଏଭଳି ରାଲି ଆୟୋଜନ କରିବା ଦ୍ୱାରା ଦିଲ୍ଲୀର ବ୍ୟବସାୟୀ ଏବଂ ସାଧାରଣ ଲୋକେ ଅସୁବିଧାରେ ପଡ଼ିବେ। ପାଟନାରେ ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, ରାଲି କରିବାରେ କୌଣସି ଆପତ୍ତି ନାହିଁ। କିନ୍ତୁ ଏହାର ସମୟକୁ ନେଇ ପ୍ରଶ୍ନ ରହିଛି। ଦଶହରା ଓ ଦୀପାବଳି ମଧ୍ୟବର୍ତ୍ତୀ ସମୟ ବ୍ୟବସାୟୀଙ୍କ ପାଇଁ ବର୍ଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସମୟ। ଏହି ସମୟରେ ଲୋକମାନେ କିଣାକିଣି ଓ ଉପହାର କ୍ରୟରେ ବ୍ୟସ୍ତ ଥାଆନ୍ତି। ରାଲି ଯୋଗୁଁ ଯାତାୟାତ ଓ ବ୍ୟବସାୟ ପ୍ରଭାବିତ ହେବା ସହ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡ଼ିପାରେ ବୋଲି ସେ ଅଭିଯୋଗ କରିଛନ୍ତି। କେବଳ ରାଲିର ସମୟ ନୁହେଁ, ନଭେମ୍ବର ୧ ତାରିଖକୁ ନେଇ ମଧ୍ୟ ଚିରାଗ ପାସୱାନ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁସାରେ, ୧୯୮୪ ମସିହା ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଶିଖ୍ ସମ୍ପ୍ରଦାୟର ଲୋକଙ୍କ ଉପରେ ଭୟଙ୍କର ହିଂସା ଘଟିଥିଲା। ଏହି ଦିନଟି ଶିଖ୍ ସମ୍ପ୍ରଦାୟ ପାଇଁ ଏକ ଦୁଃଖଦ ସ୍ମୃତି ବହନ କରେ। ପଞ୍ଜାବରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଦୁଃଖଦ ଦିନରେ କଂଗ୍ରେସ ପକ୍ଷରୁ ଶକ୍ତି ପ୍ରଦର୍ଶନ ପାଇଁ ରାଲି ଆୟୋଜନ କରିବା ଶିଖ୍ ପରିବାରଙ୍କ ଆଘାତକୁ ଆହୁରି ତାଜା କରିବା ସହ ସମାନ ବୋଲି ସେ ମତ ଦେଇଛନ୍ତି।

ଏବେ ନଭେମ୍ବର ୧ରେ ଦିଲ୍ଲୀରେ ଦୁଇ ପକ୍ଷର ଏହି ରାଜନୈତିକ ଶକ୍ତି ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଗୋଟିଏ ପଟେ SIR ବିବାଦକୁ ନେଇ ବିରୋଧୀଙ୍କ ଆନ୍ଦୋଳନ, ଅନ୍ୟପଟେ ୧୯୮୪ ଦଙ୍ଗା ପ୍ରସଙ୍ଗକୁ ନେଇ ବିଜେପିର ପ୍ରତିବାଦ। ଏହା ଦିଲ୍ଲୀର ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି।

ad-week
Leave A Reply

Your email address will not be published.