
ଛତ୍ରପୁର, ୧୦/୧୧: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ସୁପ୍ତ ପ୍ରତିଭାର ଉପଯୁକ୍ତ ଅନ୍ୱେଷଣ ତଥା ପରିସ୍ଫୁଟନ ପାଇଁ ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଏବଂ ଜିଲ୍ଲାସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଛତ୍ରପୁରସ୍ଥିତ ପି.ଏମ୍. ଶ୍ରୀ ଅନ୍ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।
ଏହି ସମାରୋହରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପ୍ରେରଣାଦାୟୀ ବାର୍ତ୍ତାକୁ ସ୍ମରଣ କରି ସେ କହିଥିଲେ ଯେ, “ସ୍ୱପ୍ନ ତାହା ନୁହେଁ, ଯାହା ଆପଣ ଶୋଇବା ସମୟରେ ଦେଖନ୍ତି; ପ୍ରକୃତ ସ୍ୱପ୍ନ ତାହା, ଯାହା ଆପଣଙ୍କୁ ଆଦୌ ଶୋଇବାକୁ ଦିଏ ନାହିଁ।” ତେଣୁ ପ୍ରତ୍ୟେକ ବିଦ୍ୟାର୍ଥୀ ଜୀବନରେ ବଡ଼ ସ୍ୱପ୍ନ ଦେଖିବା ସହିତ ନିଜ ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ନିରନ୍ତର କଠିନ ପରିଶ୍ରମ କରିବା ଉଚିତ। ଏହି ନିଷ୍ଠା ଓ ପରିଶ୍ରମ ହିଁ ଭବିଷ୍ୟତରେ ସଫଳତାର ପ୍ରକୃତ ଚାବିକାଠି ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହିତ ବନ୍ୟା ପରବର୍ତ୍ତୀ ସମୟରେ ବିଦ୍ୟାଳୟଗୁଡ଼ିକର ପୁନରୁଦ୍ଧାର ତଥା ପରିମଳ ସଫେଇ କାର୍ଯ୍ୟରେ ସାମିଲ ହୋଇଥିବା ଜିଲ୍ଲାର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସାମୂହିକ ସହଯୋଗକୁ ସେ ଭୂୟସୀ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର କହିଥିଲେ ଯେ, କେବଳ ପୁସ୍ତକଗତ ପାଠପଢ଼ା ମଧ୍ୟରେ ସୀମିତ ନରହି ଶିକ୍ଷା ସହିତ ସାଂସ୍କୃତିକ, ସାହିତ୍ୟିକ ଓ ସୃଜନାତ୍ମକ କାର୍ଯ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀମାନେ ନିୟମିତ ଭାଗ ନେବା ଆବଶ୍ୟକ। ଏହାଦ୍ୱାରା ହିଁ ସେମାନଙ୍କର ବ୍ୟକ୍ତିତ୍ୱ ତଥା ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ।
ଏହି ମହୋତ୍ସବ ଅବସରରେ ବିତର୍କ, ଚିତ୍ରାଙ୍କନ, ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର, ଶ୍ରୁତଲିଖନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସମେତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ୨୨ଟି ଯାକ ବ୍ଲକ୍ରୁ ମୋଟ ୮୧୪ ଜଣ ଛାତ୍ରଛାତ୍ରୀ ଏହିସବୁ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେହିପରି ଜିଲ୍ଲାର ୭୧ଟି ପି.ଏମ୍. ଶ୍ରୀ ବିଦ୍ୟାଳୟରୁ ମନୋନୀତ ୨୧୪ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ଛାୟା ସଂସଦରେ ଅଂଶଗ୍ରହଣ କରି ସଂସଦୀୟ କାର୍ଯ୍ୟଧାରା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ।
ଉକ୍ତ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଭାତୀ କୁମାରୀ ମହାପାତ୍ର ଏବଂ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଚିତ୍ରା ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷା ସଂଯୋଜକ ଡ. ସରୋଜ ମୋହନ ପାଳ ଏବଂ ଜିଲ୍ଲା ଯୋଜନା ସଂଯୋଜିକା ଡ. ସାବିତ୍ରୀ ବାଳା ଦାଶ ମଞ୍ଚ ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନାଶ୍ରୀ ବାଡ଼ତ୍ୟାଙ୍କ ସମେତ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ସିଆରସିସି ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
