ଛତ୍ରପୁରରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’: ପୁଷ୍ଟିକର ଖାଦ୍ୟରେ ଶ୍ରୀ ଅନ୍ନ ସାମିଲ କରିବାକୁ ବିଧାୟକଙ୍କ ଆହ୍ୱାନ, ସଫଳ ଚାଷୀ ଓ ଏସ୍‌ଏଚ୍‌ଜି ପୁରସ୍କୃତ

kalipuja

ଛତ୍ରପୁର, ୧୦/୧୧: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ-୨୦୨୬’ ତଥା ଶ୍ରୀ ଅନ୍ନ ଅଭିଯାନ ସମ୍ମିଳନୀ ବେଶ୍ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ସମାରୋହରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆ ଏକ ସ୍ୱାସ୍ଥ୍ୟପ୍ରଦ ତଥା ପୁଷ୍ଟିସମୃଦ୍ଧ ଶସ୍ୟ ହୋଇଥିବାରୁ ଏହାକୁ ପ୍ରତ୍ୟେକ ବ୍ୟକ୍ତି ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବପିଢ଼ି ନିୟମିତ ଭାବେ ମାଣ୍ଡିଆ ଜାଉ ଖାଇବା ସହିତ ଶାରୀରିକ ପରିଶ୍ରମ କରୁଥିବାରୁ ସୁସ୍ଥ, ନିରୋଗ ଓ ସବଳ ରହୁଥିଲେ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏଥିସହ ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ନିମନ୍ତେ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍ଏସପି) ମାଣ୍ଡିଆ କ୍ରୟ କରିବା ସହିତ କ୍ରମାଗତ ଭାବେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା କଥା ସେ ଉଲ୍ଲେଖ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏହି ଅବସରରେ ମାଣ୍ଡିଆ ତଥା ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ ଏବଂ ଉପସ୍ଥିତ ଚାଷୀମାନଙ୍କ ସହିତ ସେମାନଙ୍କ ଉତ୍ପାଦନ ଓ ବିପଣନ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳ ସୂଚନା ଦେଇ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ, ପୋଲସରା, ସୋରଡ଼ା, ଧରାକୋଟ, ପାତ୍ରପୁର, ଶେରଗଡ଼ ଓ ସାନଖେମୁଣ୍ଡି ବ୍ଲକରେ କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ମାଧ୍ୟମରେ ଶ୍ରୀ ଅନ୍ନ ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଉଛି।

ସୂଚନାଯୋଗ୍ୟ ଯେ, ୨୦୨୫-୨୬ କୃଷି ବର୍ଷରେ ମୋଟ ୧୪,୧୫୮ ଜଣ ଚାଷୀ ଏହି ଯୋଜନାରେ ସାମିଲ ହୋଇ ଖରିଫ ଋତୁରେ ୬,୬୬୪.୯୫ ହେକ୍ଟର ଏବଂ ରବି ଋତୁରେ ୪୩୨.୪୦ ହେକ୍ଟର ଜମିରେ ବ୍ୟାପକ ମାଣ୍ଡିଆ ଚାଷ କରିଥିଲେ। ଜିଲ୍ଲାରେ ଧାର୍ଯ୍ୟ କରାଯାଇଥିବା ୩୬ ହଜାର କ୍ୱିଣ୍ଟାଲ ଲକ୍ଷ୍ୟ ତୁଳନାରେ ମୋଟ ୩୩,୭୫୧.୧୯ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି, ଯାହାକି ମୋଟ ଧାର୍ଯ୍ୟ ଲକ୍ଷ୍ୟର ୯୩.୭୫ ପ୍ରତିଶତ ଅଟେ।

ମାଣ୍ଡିଆକୁ ‘ଶ୍ରୀ ଅନ୍ନ’ ଭାବେ ଉଚ୍ଚ ପୁଷ୍ଟିକର ଖାଦ୍ୟର ମାନ୍ୟତା ପ୍ରଦାନ କରାଯାଇ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରାଯାଇଛି। ଓଡ଼ିଶାର ଏହି ଯୁଗାନ୍ତକାରୀ ଶ୍ରୀ ଅନ୍ନ ମଡେଲକୁ ଭାରତ ସରକାର, ନୀତି ଆୟୋଗ ଏବଂ ଅନ୍ତର୍ଜାତୀୟ ଜି-୨୦ ଭଳି ସମ୍ମାନଜନକ ମଞ୍ଚରେ ଉଚ୍ଚ ପ୍ରଶଂସା ମିଳିପାରିଛି।

ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଉତ୍ସାହର ସହିତ ଯୋଗଦେଇଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଉତ୍କର୍ଷତା ନିମନ୍ତେ ତିନି ଜଣ ଶ୍ରେଷ୍ଠ ପ୍ରଗତିଶୀଳ ଚାଷୀ ସବିତା ସାହୁ (ପୋଲସରା), ସତ୍ୟ ନାୟକ (ଧରାକୋଟ) ଓ ଶରତ ନାୟକ (ଜଗନ୍ନାଥପ୍ରସାଦ)ଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସେହିପରି ଦେଶୀ ବିହନର ସୁରକ୍ଷା ପାଇଁ ଶ୍ରେଷ୍ଠ ବିହନ ସଂରକ୍ଷଣକାରୀ ଚାଷୀ ଭାବେ ସୁଦର୍ଶନ ଗମାଙ୍ଗ (ଧରାକୋଟ), ଭାଗିରଥି ସାହୁ (ପାତ୍ରପୁର) ଓ ଗୋଲା ସ୍ୱାଇଁ (ସାନଖେମୁଣ୍ଡି)ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷରେ ଶ୍ରେଷ୍ଠ ମିଲେଟ୍ ଉଦ୍ୟୋଗୀ ଭାବେ ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ (ଜଗନ୍ନାଥପ୍ରସାଦ), ଭାରତମାତା ସ୍ୱୟଂ ସହାୟକ ଗୋଷ୍ଠୀ (ଶେରଗଡ଼) ଓ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ (ସୋରଡ଼ା) ପୁରସ୍କୃତ ହୋଇଥିଲେ। ଏଥିସହିତ ଶ୍ରେଷ୍ଠ ଶ୍ରୀ ଅନ୍ନ ସହଯୋଗୀ ସଂସ୍ଥା ଭାବେ ଇଣ୍ଡିଆ ସଂସ୍ଥା (ପୋଲସରା) ଏବଂ ଶ୍ରେଷ୍ଠ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପାଇଁ ଧରାକୋଟ କୃଷକ ଉତ୍ପାଦକ ସଂଗଠନକୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।

ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, କୃଷି ବିଜ୍ଞାନ କେନ୍ଦ୍ର-୧ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ସୁଜିତ କୁମାର ନାଥ, ଏନ୍.ସି.ଆର୍.ଏସ୍., ଅଙ୍କୁଶପୁରର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା, ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ, ବିଭିନ୍ନ କୃଷି ଜିଲ୍ଲା ଅଧିକାରୀ, ବିଭାଗୀୟ ପଦାଧିକାରୀ, କୃଷି ବୈଜ୍ଞାନିକ, ଚାଷୀ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ମାଣ୍ଡିଆର ବ୍ୟବହାର ଦ୍ୱାରା ଉଭୟ ଚାଷୀଙ୍କ ଆର୍ଥିକ ଉନ୍ନତି ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ad-week
Leave A Reply

Your email address will not be published.