ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ ପାଠ୍ୟପୁସ୍ତକ: କୃଷି କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

kalipuja

ଛତ୍ରପୁର, ୯/୧୧: ବନ୍ୟାଞ୍ଚଳରେ ରିଲିଫ୍ ଓ ସହାୟତା ବଣ୍ଟନ, କୃଷି କ୍ଷୟକ୍ଷତିର ସଠିକ୍ ଆକଳନ, ଶିକ୍ଷା ବ୍ୟବସ୍ଥାର ସୁଧାର ତଥା ଅନ୍ୟାନ୍ୟ ଜରୁରୀ ସେବାର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଓସୱାନ୍ (OSWAN) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଜଣେ ହିତାଧିକାରୀ ଯେପରି କୌଣସି ପରିସ୍ଥିତିରେ ଦୁଇଥର ସହାୟତା ନ ପାଆନ୍ତି, ସେଥିପ୍ରତି କଡ଼ା ନଜର ରଖି ବିଶେଷ ସତର୍କ ରହିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବନ୍ୟା ପ୍ରଭାବିତ ସମସ୍ତ ବ୍ଲକ୍‌ରେ ଆବଶ୍ୟକ ମୁତାବକ ପର୍ଯ୍ୟାପ୍ତ ପରିମାଣର ଚାଉଳ ଓ ଖାଦ୍ୟସାମଗ୍ରୀ ମହଜୁଦ ରଖିବାକୁ ସେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବନ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଯେପରି କୌଣସି ପ୍ରକାରେ ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନୂତନ ପାଠ୍ୟପୁସ୍ତକ ଯୋଗାଇଦେବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠାରୁ ଆସିକାର ତିନୋଟି ବିଦ୍ୟାଳୟ ଖୋଲାଯିବା ସଙ୍ଗେ ସଙ୍ଗେ ପ୍ରଭାବିତ ଅଞ୍ଚଳରେ ପାଠ୍ୟପୁସ୍ତକ ବଣ୍ଟନ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯିବ। ବର୍ତ୍ତମାନ ସୁଦ୍ଧା ନବମ ଓ ଦଶମ ଶ୍ରେଣୀର ପୁସ୍ତକ ପହଞ୍ଚି ସାରିଥିବା ବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟପୁସ୍ତକ ଖୁବ୍ ଶୀଘ୍ର ଆସି ପହଞ୍ଚିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ବୈଠକରେ ସୂଚନା ଦେଇଥିଲେ।

ଅପରପକ୍ଷରେ, ଯେଉଁସବୁ ବ୍ଲକ୍‌ରେ କୃଷି କ୍ଷୟକ୍ଷତି ସମ୍ପର୍କିତ ମାମଲା ପଞ୍ଜୀକରଣ କମ୍ ହୋଇଛି, ସେହିସବୁ ଅଞ୍ଚଳରେ ତୁରନ୍ତ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ତହସିଲଦାରମାନଙ୍କୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କୁ ତାଙ୍କ ଉପଖଣ୍ଡ ଅନ୍ତର୍ଗତ ତହସିଲଗୁଡ଼ିକରେ ହୋଇଥିବା ଫସଲ କ୍ଷୟକ୍ଷତି ମାମଲାର ନିୟମିତ ସମୀକ୍ଷା କରି କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ବନ୍ୟା ପରବର୍ତ୍ତୀ ସ୍ଥିତିରେ ରୋଗ ନିୟନ୍ତ୍ରଣ ଓ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ସ୍ୱାସ୍ଥ୍ୟ ବିଭାଗର ମେଡିକାଲ ଟିମ୍‌ଗୁଡ଼ିକ ବେଶ୍ ପ୍ରଶଂସନୀୟ ତଥା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଆଗାମୀ ଦିନରେ ମଧ୍ୟ ସମାନ ତତ୍ପରତା ଓ ସେବା ମନୋଭାବ ବଜାୟ ରଖି କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

ଉକ୍ତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ଅନ୍ୟ ଜିଲ୍ଲାରୁ ସ୍ୱତନ୍ତ୍ର ଦାୟିତ୍ୱରେ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ad-week
Leave A Reply

Your email address will not be published.