ବନ୍ଧୁଗାଁ ବ୍ଲକ୍‌ର ନୀଳାବାଡ଼ିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର:୭୬ଟି ଅଭିଯୋଗ ପଞ୍ଜୀକୃତ, ତ୍ୱରିତ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

kalipuja

କୋରାପୁଟ, ୦୯/୧୧/୨୦୨୬: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ନୀଳାବାଡ଼ି କଲ୍ୟାଣ ମଣ୍ଡପଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନରେଶ ଚନ୍ଦ୍ର ଶବରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ସମ୍ବଳିତ ମୋଟ ୭୬ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୭ଟି ଗୋଷ୍ଠୀଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ଅବଶିଷ୍ଟ ୩୯ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ବିଶେଷ କରି ଆର୍ଥିକ ସହାୟତା, ଜମି ଓ ଘର ପଟ୍ଟା ପ୍ରଦାନ, ଜମିଜମା ସଂକ୍ରାନ୍ତୀୟ ବିବାଦ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାର ଉନ୍ନତିକରଣ, ରାସ୍ତା ନିର୍ମାଣ ତଥା ଯାତାୟାତ ସୁବିଧା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଆଦି ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଲୋକମାନେ ପ୍ରଶାସନ ନିକଟରେ ନିଜ ନିଜର ଦାବି ଓ ଅଭିଯୋଗ ଉପସ୍ଥାପନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବର ଉପସ୍ଥିତ ସମସ୍ତ ଅଭିଯୋଗକାରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିଥିଲେ। ଏଥିସହିତ ଜନସାଧାରଣଙ୍କ ସୁବିଧା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଉକ୍ତ ଅଭିଯୋଗଗୁଡ଼ିକର ତ୍ୱରିତ, ନିରପେକ୍ଷ ତଥା ନିୟମାନୁଯାୟୀ ସମାଧାନ କରିବା ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏହି ସମନ୍ୱିତ ଶିବିରରେ କୋରାପୁଟ ଉପଜିଲ୍ଲାପାଳ ଫାବି ରଶିଦ, ବନ୍ଧୁଗାଁ ବ୍ଲକ୍ ଅଧ୍ୟକ୍ଷ, ବନ୍ଧୁଗାଁ ଥାନା ଅଧିକାରୀ ଏମ୍. କେ. ବେହେରା ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ଏଡିଏମ୍ଓ)ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ତଥା ବ୍ଲକ୍‌ସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିବାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.