ବାଲିଗୁଡ଼ାରେ ଭକ୍ତିପୂର୍ଣ୍ଣ ପରିବେଶରେ ମା’ ଶ୍ୟାମାକାଳୀଙ୍କ ପୂଜା: ପୟାଶ୍ରାଦ୍ଧ ସହ କାଉଁରିଆ ଜାଳି ପିତୃପୁରୁଷଙ୍କୁ ଦୀପଦାନ

kalipuja

ବାଲିଗୁଡ଼ା, ୯/୧୧: ପବିତ୍ର ଦୀପାବଳି ତଥା ଶ୍ୟାମାକାଳୀ ପୂଜା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ ଶ୍ୟାମାକାଳୀଙ୍କ ବାର୍ଷିକ ପୂଜା ମହୋତ୍ସବ ମହାଆଡ଼ମ୍ବର ଓ ଅତ୍ୟନ୍ତ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ପାରମ୍ପରିକ ବିଧିବିଧାନ ଓ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ବିଦ୍ୱାନ ପୂଜକ ଓ ପୁରୋହିତଙ୍କ ଦ୍ୱାରା ମା’ଙ୍କ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମଯଜ୍ଞ ତଥା ବିଭିନ୍ନ ଧାର୍ମିକ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଜଗତଜନନୀ ମା’ଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କରିବା ନିମନ୍ତେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପୂର୍ବ ଭକ୍ତି ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧି ମା’ଙ୍କ ଦର୍ଶନ କରିବା ସହ ନିଜ ପରିବାରର ସୁଖଶାନ୍ତି କାମନା କରିଥିଲେ। ସମଗ୍ର ପୂଜା କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

ଅନ୍ୟପକ୍ଷରେ, ଆଲୋକର ମହାପର୍ବ ଦୀପାବଳି ଉପଲକ୍ଷେ ସମଗ୍ର ବାଲିଗୁଡ଼ା ସହରର ପ୍ରତ୍ୟେକ ଘରେ ଘରେ ମାଟିଦୀପ ଜଳାଇ ଉତ୍ସବ ପାଳନ କରାଯାଇଥିଲା। ଘର ଆଗରେ ରଙ୍ଗୋଲି ଓ ଆଲୋକମାଳାରେ ସମଗ୍ର ଅଞ୍ଚଳ ଉଜ୍ଜ୍ୱଳିତ ହୋଇ ଉଠିଥିଲା। ପୁରାତନ ଧାର୍ମିକ ପରମ୍ପରା ଅନୁଯାୟୀ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପୂଜାର୍ଚ୍ଚନା କରିବା ସହ ‘ବଡ଼ବଡୁଆ’ ଡାକ ଦେଇ କାଉଁରିଆ କାଠି ଜାଳି ଆକାଶ ମାର୍ଗକୁ ଦେଖାଇଥିଲେ ଏବଂ ନିଜ ପୂର୍ବପୁରୁଷଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ସୁଦୂର ବୈକୁଣ୍ଠରୁ ମର୍ତ୍ତ୍ୟମଣ୍ଡଳକୁ ଆସିଥିବା ପିତୃପୁରୁଷମାନେ ଯେପରି ନିଜ ଧାମକୁ ଆଲୋକ ଦେଖି ସୁରକ୍ଷିତ ଫେରିଯିବେ, ସେଥିପାଇଁ ପାରମ୍ପରିକ ରୀତିରେ ଏହି ଦୀପଦାନ କରାଯାଇଥିଲା। ଧାର୍ମିକ ଆସ୍ଥା, ପାରମ୍ପରିକ ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବଧାରା ମଧ୍ୟରେ ବାଲିଗୁଡ଼ା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ଦୀପାବଳି ପର୍ବ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ, ଆନନ୍ଦମୟ ଓ ଭକ୍ତିମୟ ପରିବେଶରେ ଉତ୍ସାହର ସହ ପାଳିତ ହୋଇଯାଇଛି।

ad-week
Leave A Reply

Your email address will not be published.