ବାଗଦେରିରୁ ଗୁଞ୍ଜରିବ ଜନଜାତି ସଂସ୍କୃତିର ସ୍ୱର: ‘ପରବ-୨୦୨୬’ ପାଇଁ ପ୍ରସ୍ତୁତି ତଦାରଖ କଲେ କୋରାପୁଟ ଜିଲ୍ଲାପାଳ

kalipuja

କୋରାପୁଟ, ୦୯/୧୧/୨୦୨୬: ଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ-୨୦୨୬’କୁ ସଫଳ, ସୁବ୍ୟବସ୍ଥିତ ତଥା ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ବାଗଦେରି ଗ୍ରାମ ପଞ୍ଚାୟତ ଗସ୍ତ କରି ମହୋତ୍ସବର କ୍ଷେତ୍ରସ୍ତରୀୟ ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହି ମହୋତ୍ସବ ମାଧ୍ୟମରେ ଆଦିବାସୀ ସମାଜର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ନିଆରା ଲୋକଜୀବନକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ସହ ଜନଜାତିଙ୍କ ଅନନ୍ୟ ଐତିହ୍ୟକୁ ଲୋକଲୋଚନକୁ ଆଣିବା ମୁଖ୍ୟ ଲକ୍ଷ୍ୟ ରହିଛି। ଗସ୍ତ ଅବସରରେ ମହୋତ୍ସବ ସ୍ଥଳର ମୁଖ୍ୟ ମଞ୍ଚ ନିର୍ମାଣ, ପ୍ରଦର୍ଶନୀ ମଣ୍ଡପ ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଓ ପାର୍କିଂ ସୁବିଧା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ବିଦ୍ୟୁତୀକରଣ ଓ ଆଲୋକୀକରଣ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବଂ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥା ଭଳି ବିଭିନ୍ନ ଆନୁଷଙ୍ଗିକ ପ୍ରସ୍ତୁତି ଦିଗ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।

ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗଦେବାକୁ ଥିବା ସମ୍ମାନିତ ଅତିଥି, ଆଗନ୍ତୁକ କଳାକାର ଓ ଦର୍ଶକମାନଙ୍କ ପାଇଁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଉପରେ ମଧ୍ୟ ପ୍ରସ୍ତୁତି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମସ୍ତ ନିର୍ମାଣ ଓ ଆୟୋଜନ କାର୍ଯ୍ୟକୁ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ସାରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମୀକ୍ଷା ଗସ୍ତ ଅବସରରେ କୋଟପାଡ଼ ବିଧାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧାଗୋବିନ୍ଦ ସାମନ୍ତରାୟ (ମୁନି), କୋରାପୁଟ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ରୋହିତ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ), ସ୍ଥାନୀୟ ବିଡିଓ ପି. ମନସ୍ମିତାଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.