ଛତ୍ରପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବାସ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୭୫ ହଜାରରୁ ଊର୍ଦ୍ଧ୍ୱ ଘର ନିର୍ମିତ

ନୂତନ ପର୍ଯ୍ୟାୟରେ ମଧ୍ୟ ଗଞ୍ଜାମକୁ ମିଳିବ ଉପଯୁକ୍ତ ଭାଗ
ଛତ୍ରପୁର : ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଆବାସ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମ ଶନିବାର ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।
ଘର କେବଳ ଏକ ବାସସ୍ଥାନ ନୁହେଁ, ଏହା ପ୍ରତ୍ୟେକ ପରିବାର ପାଇଁ ସୁରକ୍ଷାର କବଚ। ବିଶେଷକରି ପାହାଡ଼ିଆ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ କହିଥିଲେ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୃହହୀନ ପରିବାରଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ସୁରକ୍ଷିତ ପକ୍କା ଘର ଯୋଗାଇଦେବା ବୋଲି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ମତବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଓଡ଼ିଶାକୁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଭାଗରେ ୫ ଲକ୍ଷ ଘର ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଘର ଦାବି କରାଯାଇଥିବା ବେଳେ ଏହା ପ୍ରଥମ ପର୍ଯ୍ୟାୟ ମଞ୍ଜୁରି। ଆଗାମୀ ପର୍ଯ୍ୟାୟରେ ମଧ୍ୟ ଅଧିକ ଆବାସ ମଞ୍ଜୁର ହେବା ସହ ଗଞ୍ଜାମ ଜିଲ୍ଲାକୁ ଉପଯୁକ୍ତ ଭାଗ ମିଳିବ ।
ପୂର୍ବରୁ ଏହି ଯୋଜନା ଅଧୀନରେ ଓଡ଼ିଶାକୁ ମଞ୍ଜୁର ହୋଇଥିବା ପ୍ରାୟ ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ପ୍ରାୟ ୨୫ ଲକ୍ଷ ୫୮ ହଜାର ଘରର ନିର୍ମାଣ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ୭୫ ହଜାର ୨୪୪ଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ, ପ୍ରୋଗ୍ରାମ ମ୍ୟାନେଜର (ଗ୍ରାମୀଣ) ସୌମ୍ୟରଞ୍ଜନ ହୋତାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟସଭ୍ୟା, ମିଶନ ଶକ୍ତିର ମହିଳା ଓ ହିତାଧିକାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲ୍ଇଡି ପରଦା ମାଧ୍ୟମରେ ଉପସ୍ଥିତ ଅତିଥି ଓ ହିତାଧିକାରୀମାନେ ଦେଖିଥିଲେ।
