
ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ଗଣମାଧ୍ୟମ; ଦାୟିତ୍ୱବାନ ସାମ୍ବାଦିକତା ଉପରେ ଗୁରୁତ୍ୱ
କୋରାପୁଟ : ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ‘ଜାତୀୟ ପ୍ରେସ୍ ଦିବସ–୨୦୨୬’ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
ଏହି ସମାରୋହରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ସାମ୍ବାଦିକତା ବିଭାଗ ମୁଖ୍ୟ ଡ. ସୌରଭ ଗୁପ୍ତା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବା ଏବଂ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଧାରାଣୀ ସରକାରଙ୍କ ସମେତ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ବକ୍ତାମାନେ ମତପ୍ରକାଶ କରିଥିଲେ ଯେ, ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ଗଣତନ୍ତ୍ରର ଏକ ସୁଦୃଢ଼ ସ୍ତମ୍ଭ ଏବଂ ଜନସାଧାରଣଙ୍କ ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ବର୍ତ୍ତମାନ ସମୟରେ ଖବରର ଲୋକପ୍ରିୟତା ଓ ଦର୍ଶକ ସଂଖ୍ୟା ବୃଦ୍ଧି ପଛରେ ନ ଗୋଡ଼ାଇ ସତ୍ୟତା, ନିରପେକ୍ଷତା, ବିଶ୍ୱସନୀୟତା ଓ ନୈତିକତାକୁ ଅଗ୍ରାଧିକାର ଦେବା ଜରୁରୀ। ଭୁଲ୍ ଖବର ଓ ଅପପ୍ରଚାରରୁ ଦୂରେଇ ରହି ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିବା ସାମ୍ବାଦିକମାନଙ୍କର ପ୍ରମୁଖ କର୍ତ୍ତବ୍ୟ ବୋଲି ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସ୍ଫୂର୍ତ୍ତିପୂର୍ଣ୍ଣ ଭାବେ ଯୋଗଦେଇ ସାମ୍ବାଦିକତାର ମର୍ଯ୍ୟାଦା, ସାମାଜିକ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ନିଜ ନିଜର ଅନୁଭୂତି ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା।
