ଗଞ୍ଜାମରେ ବନ୍ୟା ଆଶଙ୍କା ନାହିଁ: EIC

kalipuja

ଭୁବନେଶ୍ୱର: ବାତ୍ୟା ଅକୱାନ ଜନିତ ପ୍ରବଳ ବର୍ଷା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏନେଇ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (EIC) ଦିଲ୍ଲୀପ କୁମାର ରାଉତ ଶନିବାର ଦିନ କହିଛନ୍ତି।

ସେ କହିଛନ୍ତି ଯେ, ପୁରୁଷୋତ୍ତମପୁର ଠାରେ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ (୧୬.୮୫ ମିଟର) ତଳେ ରହିଛି, ଯାହା ସୂଚାଉଛି ଯେ ଜିଲ୍ଲାରେ ବର୍ତ୍ତମାନ ବନ୍ୟାର କୌଣସି ଆଶଙ୍କା ନାହିଁ। ବାଘୁଆ ଓ ଧନାଇ ନଦୀ ଯୋଗୁଁ କିଛି ଅଞ୍ଚଳରେ ଅସ୍ଥାୟୀ ଭାବେ ପାଣି ଜମି ରହିଥିଲେ ମଧ୍ୟ, ବନ୍ୟା କାରଣରୁ ବର୍ତ୍ତମାନ କୌଣସି ସ୍ଥାନ ଜଳମଗ୍ନ ହୋଇନାହିଁ କିମ୍ବା ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇନାହିଁ।

‘ଅକୱାନ’ ବାତ୍ୟାର ପ୍ରଭାବ ଦୁର୍ବଳ ହୋଇଯାଇଥିବାରୁ ଉତ୍ତର ଓଡ଼ିଶାରେ ମଧ୍ୟ ବନ୍ୟା ହେବାର କୌଣସି ସମ୍ଭାବନା ନାହିଁ ବୋଲି ଇଞ୍ଜିନିୟର-ଇନ୍-ଚିଫ୍ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ସେ କହିଛନ୍ତି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଶୁକ୍ରବାର ଶେଷ ହୋଇଥିବା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ୧୩ଟି ପାଣିପାଗ କେନ୍ଦ୍ରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୪୩ ମିଲିମିଟର ବର୍ଷା ହୋଇଥିବା ବେଳେ ନୟାଗଡ଼ର ଓଡ଼ଗାଁରେ ୧୦୮.୬ ମିମି, ଗଞ୍ଜାମର ବୁଗୁଡ଼ାରେ ୧୦୨ ମିମି ଏବଂ ଗଞ୍ଜାମର ଜଗନ୍ନାଥପ୍ରସାଦରେ ୮୪ ମିମି ବର୍ଷା ରେକର୍ଡ କରାଯାଇଛି।

ଏହା ବ୍ୟତୀତ ବାଲେଶ୍ୱରର ଜଳେଶ୍ୱରରେ ୭୬ ମିମି, ଯାଜପୁରର ବରୀରେ ୭୫ ମିମି, କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ୭୨ ମିମି, କଟକର ନିଶ୍ଚିନ୍ତକୋଇଲିରେ ୭୧ ମିମି, କେନ୍ଦ୍ରାପଡ଼ାର ରାଜନଗରରେ ୭୦ ମିମି, ଜଗତସିଂହପୁରର ବିରିଡ଼ିରେ ୬୯ ମିମି, କଟକର ସାଲେପୁରରେ ୬୯ ମିମି, ଜଗତସିଂହପୁରର ପାରାଦୀପରେ ୬୭.୧ ମିମି ଏବଂ କଟକର ବାଙ୍କିରେ ୬୬ମିମି ବର୍ଷା ରେକର୍ଡ ହୋଇଛି।

ad-week
Leave A Reply

Your email address will not be published.