ମାଲକାନଗିରିରେ ଜନଗଣନା ୨୦୨୭ (ଦ୍ୱିତୀୟ ପର୍ଯ୍ୟାୟ) ନିମନ୍ତେ କ୍ଷେତ୍ର ପ୍ରଶିକ୍ଷକଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ…

ମାଲକାନଗିରି, ୨୫ ନଭେମ୍ବର: ଆଗାମୀ ଜନଗଣନା ୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଜନସଂଖ୍ୟା ଗଣନା କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଜିଲ୍ଲାର କ୍ଷେତ୍ର ପ୍ରଶିକ୍ଷକମାନଙ୍କର ଏକ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।
ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମନୋନୀତ ଅଧ୍ୟାପକ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ଜନସଂଖ୍ୟା ଗଣନାର ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମାବଳୀ, ତଥ୍ୟ ସଂଗ୍ରହ ପଦ୍ଧତି, ଜନଗଣନା ପ୍ରଶ୍ନାବଳୀ ଏବଂ ମୋବାଇଲ୍ ଆପ୍ଲିକେସନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷକମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଠାରୁ ତାଲିମ ନେବା ପରେ ଏହି କ୍ଷେତ୍ର ପ୍ରଶିକ୍ଷକମାନେ ନିଜ ନିଜ ବ୍ଲକସ୍ତରରେ ଗଣନାକାରୀ ଓ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ପ୍ରଶିକ୍ଷଣ ଶିବିରକୁ କୁ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ
ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରି କହିଛନ୍ତି ଯେ ଜନଗଣନା ହେଉଛି ଦେଶ ଓ ରାଜ୍ୟର ବିକାଶମୂଳକ ଯୋଜନା ପ୍ରସ୍ତୁତିର ମୂଳଦୁଆ । ପ୍ରତ୍ୟେକ ତଥ୍ୟ ଯେପରି ଶତପ୍ରତିଶତ ସଠିକ୍, ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭାବେ ସଂଗୃହୀତ ହୁଏ, ସେଥିପାଇଁ କ୍ଷେତ୍ର ପ୍ରଶିକ୍ଷକମାନେ ଏହି ତାଲିମକୁ ଗୁରୁତ୍ୱର ସହ ଗ୍ରହଣ କରି ତୃଣମୂଳ ସ୍ତରରେ ଗଣନାକାରୀଙ୍କୁ ଦକ୍ଷ କରାଇବା ଆବଶ୍ୟକ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜନଗଣନା ବିଭାଗର ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ଅକ୍ଷୟ ମୁଦଗଲ, ସହକାରୀ ଜିଲ୍ଲାପାଳ (ଜନଗଣନା) ମୁନା ତୁରୁକ ଏବଂ ମୁଖ୍ୟ ପ୍ରଶିକ୍ଷକ ଭାବେ ଡେପୁଟି କଲେକ୍ଟର ସ୍ୱୟଂ ସିଦ୍ଧ ରାଉତ ଓ ଡେପୁଟି କଲେକ୍ଟର ପଲ୍ଲବୀ ଖରା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଜନଗଣନା କାର୍ଯ୍ୟକୁ ସଠିକ୍, ସ୍ୱଚ୍ଛ, ଶୃଙ୍ଖଳିତ ଓ ସଫଳତାର ସହ ସମ୍ପାଦନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି ।
