
ଭୁବନେଶ୍ୱର : ନରାଜରେ ହେବାକୁ ଥିବା ଡାଟା ସେଣ୍ଟରକୁ ବିଧାନସଭା ହୁଲୁସ୍ତୁଲ। ଆଜି ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। ଆଦାନୀ ଗ୍ରୁପ୍ ନରାଜରେ ଡାଟା ସେଣ୍ଟର ନିର୍ମାଣ କରିବା ନେଇ ରାଜ୍ୟ ସରକାରଙ୍କ HLCA ଅନୁମୋଦନ ଦେଇଛି । ୧ ହଜାର ମେଗାୱାଟ ଶକ୍ତି ସମ୍ପନ୍ନ ୟୁନିଟ ପ୍ରତିଷ୍ଠା ହେବ ।
ଏହି ପ୍ରକଳ୍ପରେ ୧. ୪ଲକ୍ଷ କୋଟି ଟଙ୍କା ନିବେଶ ହେବ। ୨୫୦ ଏକର ଜମି ଯୋଗାଇଦେବେ ଦେବେ ସରକାର। ଏହି ଡାଟା ସେଣ୍ଟର ପାଇଁ ୨ ରୁ ୪ କୋଟି ୟୁନିଟ୍ ବିଦ୍ୟୁତ୍ ଶକ୍ତି ଆବଶ୍ୟକ । ଏତେ ବଡ ପ୍ରକଳ୍ପ ହେଉଥିଲେ ବି ମାତ୍ର ୧୦୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି । ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟକୁ କ୍ଷତି ହେଵ, ନଦୀ ଜଳକୁ ଶୁଖାଇ ଦେବ,ପରିବେଶ ପ୍ରଦୂଷଣ ହେବ,ଶବ୍ଦ ପ୍ରଦୂଷଣ ହେବ କିନ୍ତୁ ଓଡ଼ିଶା ଯୁବକଙ୍କୁ ନିଯୁକ୍ତି ନାହିଁ କି ଓଡ଼ିଶାକୁ ଲାଭ ନାହିଁ।
ସରକାର କେମିତିକା ଶିଳ୍ପକୁ ନିମନ୍ତ୍ରଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ସେହିପରି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି,ଡାଟା ସେଣ୍ଟରକୁ ଆମେରିକା ରିଜେକ୍ଟ କରୁଛି। କିନ୍ତୁ ତାକୁ ରାଜ୍ୟ ସରକାର ନିମନ୍ତ୍ରଣ କରୁଛନ୍ତି। ଡାଟା ସେଣ୍ଟରକୁ ବିରୋଧ କରାଯାଉନି କିନ୍ତୁ ଯେଉଁ ସ୍ଥାନରେ ନିର୍ମାଣ କରାଯିବ ତାହା ସମସ୍ୟା। ଏହା ଉପରେ ସରକାର ଶ୍ୱେତପତ୍ର ଦିଅନ୍ତୁ।
ପରିବେଶ ପ୍ରଦୂଷଣ ହେବ,ଶବ୍ଦ ପ୍ରଦୂଷଣ ହେବ। ଓଡ଼ିଶାରେ ଡାଟା ସେଣ୍ଟର ହେବ କିନ୍ତୁ ଓଡ଼ଶାର କିଛି ଲାଭ ହେବନି। ବଡ ବଡ କମ୍ପାନୀ ଲାଭ ପାଇବେ। ଭୁବନେଶ୍ୱର କଟକ ବିଶେଷ ମାତ୍ରାରେ ପ୍ରଭାଵିତ ହେବ। ଓଡ଼ିଶାରେ ୪୮୦ କିଲୋମିଟର ବେଳାଭୂମି ରହିଛି। ସେଠାରେ ନିର୍ମାଣ ନେଇ ବ୍ୟବସ୍ଥା କରାଯାଉ। କିନ୍ତୁ କଟକ ନରାଜରେ କରାନଯାଉ ବୋଲି ସେ ଦାବି କରିଛନ୍ତି। ସେପଟେ ବିଜେପି ବିଧାୟକ କହିଛି, ଡାଟା ସେଣ୍ଟରର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି।
