ରାଉରକେଲା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ: ସମ୍ବିଧାନର ସୁରକ୍ଷା ଓ ନିଷ୍ଠାପର ସେବା ପାଇଁ ଶପଥ ନେଲେ ପୋଲିସ ଅଧିକାରୀ

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ) : ଦେଶବ୍ୟାପୀ ‘ସମ୍ବିଧାନ ଦିବସ’ ପାଳନ ଅବସରରେ ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପରିସରରେ ଏକ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ସହ ସାମୂହିକ ଶପଥ ଗ୍ରହଣ କରିଥିଲେ।
ସମାରୋହରେ ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ମହାନ ଆଦର୍ଶ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନୀତିନିୟମକୁ ସର୍ବଦା ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବାକୁ ଦୃଢ଼ ସଂକଳ୍ପ ନେଇଥିଲେ। ଏଥିସହ କୌଣସି ବାଛବିଚାର ନରଖି ସମ୍ପୂର୍ଣ୍ଣ ସଚ୍ଚୋଟତା, ନିଷ୍ଠା ଓ ସମର୍ପଣ ଭାବର ସହିତ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେମାନେ ଶପଥ ପାଠ କରିଥିଲେ।
ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା ଯେ, ସମ୍ବିଧାନର ମର୍ଯ୍ୟାଦା ରକ୍ଷା, ଗଣତନ୍ତ୍ରର ସୁରକ୍ଷା ଏବଂ ସାଧାରଣ ନାଗରିକଙ୍କ ସେବା ଓ ନ୍ୟାୟ ପ୍ରଦାନ ପାଇଁ ପୋଲିସ ବାହିନୀ ସଦାସର୍ବଦା ସଂକଳ୍ପବଦ୍ଧ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଦେଶପ୍ରେମ ଓ ସାମ୍ବିଧାନିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରାଯାଇଥିଲା।
