ପାରାଦୀପ ଉପକୂଳରେ ଆନ୍ଧ୍ରର ମାଛଧରା ବୋଟ୍ ନିଖୋଜ, ୭ ମତ୍ସ୍ୟଜୀବୀ ନିଖୋଜ

kalipuja

ପାରାଦୀପ : ପାରାଦୀପ ଉପକୂଳରେ ଆନ୍ଧ୍ରର ମାଛଧରା ବୋଟ୍ ନିଖୋଜ । ୭ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି । ୧୮ତାରିଖରେ ପାରାଦୀପ ବନ୍ଦର ନିକଟରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲା ବୋଟ୍ । ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ । ଓଡ଼ିଶା ଉପକୂଳରେ ଆନ୍ଧ୍ରପ୍ରଦେଶର ମାଛଧରା ବୋଟ୍ ନିଖୋଜ। ବୋଟ୍ ରେ ଥିବା ୭ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳୁନି। ବାତ୍ୟାଜନିତ ପ୍ରତିକୂଳ ପାଣିପାଗ ଓ ଅଶାନ୍ତ ସମୁଦ୍ର ମଧ୍ୟରେ ବୋଟ୍ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ନିଖୋଜ ମତ୍ସ୍ୟଜୀବୀଙ୍କୁ ଠାବ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓ ନୌସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସମସ୍ତ ନିଖୋଜ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲା ସୁବ୍ବାମପେଟା ଗ୍ରାମର। ୪ ତାରିଖରେ ସେମାନେ ଉପ୍ପାଡ଼ାରୁ ମାଛ ଧରିବା ପାଇଁ ପାରାଦୀପ ଅଭିମୁଖେ ବାହାରିଥିଲେ। ନଭେମ୍ବର ୧୦ରେ ଧରିଥିବା ମାଛ ବିକ୍ରି କରିବା ପାଇଁ ବିଶାଖାପାଟଣା ବନ୍ଦରରେ ପହଞ୍ଚିଥିଲେ। ସେହିଦିନ ପୁଣି ସମୁଦ୍ର ଭିତରକୁ ଯାଇଥିଲେ।

ନଭେମ୍ବର ୧୪ରେ ବୋଟ୍ ମାଲିକ ଡି. ସିମ୍ ହାଦ୍ରି ପରିବାର ସଦସ୍ୟଙ୍କ ସହ କଥା ହୋଇ ସମୁଦ୍ର ଅଶାନ୍ତ ଥିବା ସୂଚନା ଦେଇଥିଲେ। ୧୮ରେ ପାରାଦୀପ ବନ୍ଦର ନିକଟରେ ବୋଟ୍ କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା। ନଭେମ୍ବର ୧୯ରୁ ବୋଟ୍ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କାକିନାଡ଼ା ଜିଲ୍ଲାପାଳ ଏମ୍ .ଏନ୍ . ହରେନ୍ଦ୍ର ପ୍ରସାଦଙ୍କ ସୂଚନା ଅନୁଯାୟୀ, ପରିବାର ସଦସ୍ୟଙ୍କଠାରୁ ଖବର ପାଇବା ପରେ ତଟରକ୍ଷୀ ବାହିନୀକୁ ଅବଗତ କରାଯାଇଥିଲା।

ମୋବାଇଲ୍ ଫୋନ୍ କିମ୍ବା ବୋଟ୍ ରେ ଲାଗିଥିବା ଟ୍ରାନ୍ସପଣ୍ଡର ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ। କାକିନାଡ଼ା, ଓଡ଼ିଶା ଓ ଚେନ୍ନାଇର ତଟରକ୍ଷୀ ବାହିନୀ ସହ ଚେନ୍ନାଇସ୍ଥିତ ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର ଏହି ସର୍ଚ୍ଚ ଅପରେସନ୍ ରେ ସାମିଲ ହୋଇଛନ୍ତି। ଜାହାଜ ଓ ହେଲିକପ୍ଟର ସହାୟତାରେ ସମୁଦ୍ରରେ ତଲାସି ଚାଲିଛି।

ବୋଟ୍ ଟି ଭାସି ଭାସି ପଡ଼ୋଶୀ ଦେଶର ଜଳସୀମାକୁ ଚାଲିଯାଇଥିବା ଆଶଙ୍କାରେ ବାଂଲାଦେଶ ଓ ମିଆଁମାରର ସାମୁଦ୍ରିକ ସୁରକ୍ଷା ସଂସ୍ଥାକୁ ମଧ୍ୟ ସୂଚନା ଦିଆଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସ୍ଥିତିର ସମୀକ୍ଷା କରି ସର୍ଚ୍ଚ ଅପରେସନ୍ କୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ମଧ୍ୟ ଜିଲ୍ଲାପାଳଙ୍କ ସହ କଥା ହୋଇ ତଟରକ୍ଷୀ ବାହିନୀ, ନୌସେନା ଓ ସାମୁଦ୍ରିକ ପୋଲିସ ମଧ୍ୟରେ ସମନ୍ୱୟ ରଖି ତଲାସି ଜାରି ରଖିବାକୁ କହିଛନ୍ତି।

ଆନ୍ଧ୍ର ସରକାର ଏନେଇ କେନ୍ଦ୍ର ସରକାରଙ୍କ ସହାୟତା ମଧ୍ୟ ଲୋଡ଼ିଛନ୍ତି। ବୋଟରେ ପ୍ରାୟ ୧୫୦୦ ଲିଟର ଡିଜେଲ ଓ ୩୦ ଦିନ ପାଇଁ ଖାଦ୍ୟ ସାମଗ୍ରୀ ଥିବା ପରିବାର ସଦସ୍ୟମାନେ ସୂଚନା ଦେଇଛନ୍ତି। ତେଣୁ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ନେଇ ଆଶା ରହିଛି। ନିଖୋଜ ମତ୍ସ୍ୟଜୀବୀମାନେ ହେଲେ ସିମ୍ ହାଦ୍ରି, ସୋରାଡ଼ା କୋଣ୍ଡାଲରାଓ, ଗୁମ୍ପାଲା ପ୍ରକାଶୁ, ତିରି ନାରାୟଣ, ସୋରାଡ଼ା ଚିନ୍ନା, ମେରୁଗୁ ନାରାୟଣ ଓ କାଣ୍ଡାଲା ରାମୁ।

ଅନ୍ୟପଟେ ନଭେମ୍ବର ୨୩ରେ ଇଞ୍ଜିନ୍ ଖରାପ ହେବା ପରେ କୃଷ୍ଣାପୁରମ୍ ନିକଟରୁ ଉଦ୍ଧାର ହୋଇଥିବା ୭ ମତ୍ସ୍ୟଜୀବୀ ଏହି ନିଖୋଜ ବୋଟ୍ ର ନୁହନ୍ତି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ନିଖୋଜ ମତ୍ସ୍ୟଜୀବୀଙ୍କୁ ଠାବ କରାଯିବା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରହିବ। ଏପଟେ ପରିବାର ସଦସ୍ୟମାନେ ଚିନ୍ତାରେ ଦିନ କାଟୁଥିବାବେଳେ ସମସ୍ତଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି।

ad-week
Leave A Reply

Your email address will not be published.