
ଜଳେଶ୍ୱର : ୧୦ ଫୁଟ ତଳକୁ ଖସିଲା କାର । କାର ଚାଳକଙ୍କ ସମେତ ୨ ମୃତ। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେବା ପରେ ୧୦ ଫୁଟ ତଳକୁ ଖସିପଡ଼ିଲା କାର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ସୂଚନା ଅନୁଯାୟୀ କାରରେ ୪ ଜଣ ସାଙ୍ଗ ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବା ବେଳେ ସୋନାକଣିଆ ନିକଟରେ ହଠାତ୍ କାରଟି ଚାଳକଙ୍କ ନିୟନ୍ତ୍ରଣ ହରାଇଥିଲା। ଫଳରେ କାର୍ ଟି ରାସ୍ତା ପାଖରେ ଥିବା ଡିଭାଇଡରରେ ଜୋରରେ ପିଟି ହୋଇଯାଇଥିଲା । ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାରଟି ଡିଭାଇଡର ଅତିକ୍ରମ କରି ୧୦ ଫୁଟ ତଳକୁ ଖସିପଡ଼ିଥିଲା । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ମୃତକ ଜଳେଶ୍ବର ଅଞ୍ଚଳର ।
