
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାଙ୍କେଶ୍ୱରୀ ଘାଟୀର ମୁଗୁରାନାଳ ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଥିବା ଯୁବକଙ୍କ ପରିଚୟ ମିଳିଛି । ମୃତକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପଲାସା ଥାନା ରେଣ୍ଟିକୋଟା ଗ୍ରାମର ସୁନୀଲ କୁମାର ପଣ୍ଡାଙ୍କ ପୁଅ ଓମ୍ ସାଇଶଙ୍କର ପଣ୍ଡା (୨୨) । ସେ ବ୍ରହ୍ମପୁରସ୍ଥିତ ଆକାଶ ଇନଷ୍ଟିଚ୍ୟୁଟରେ ନିଟ୍ (NEET) କୋଚିଂ ନେଉଥିଲେ ।
ଗତକାଲି ପୂର୍ବାହ୍ନ ୧୧ଟା ୪୫ ମିନିଟ ସମୟରେ ବାଙ୍କେଶ୍ୱରୀ ଜଳପ୍ରପାତରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ନେଇ ଦିଗପହଣ୍ଡି ଥାନା ପୋଲିସକୁ ଖବର ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଓମ୍ ସାଇଙ୍କ ସହ ସ୍କୁଟିରେ ଆସିଥିବା ଜଣେ ଯୁବତୀ ସେଠାରୁ ଫେରାର ହୋଇଯାଇଥିଲେ । ଘାଟୀ ରାସ୍ତାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏହି ଜଳପ୍ରପାତରୁ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପ୍ରାୟ ଦେଢ଼ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଓମ୍ ସାଇଙ୍କୁ ଉଦ୍ଧାର କରିଥିଲା ।
ତାଙ୍କୁ ତୁରନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଓମ୍ ସାଇଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିଲେ । ପୁଅର ମୃତଦେହ ଦେଖି ବାପା-ମାଆଙ୍କ ବାହୁନି କାନ୍ଦିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା ।
ଦିଗପହଣ୍ଡି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ୍ ଏମ୍ ଟି (FMT) କୁ ପଠାଇଛି । ଅନ୍ୟପଟେ, ଘଟଣାସ୍ଥଳରୁ ଚାଲିଯାଇଥିବା ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।ଏବେବି ଯୁବତୀ ଗାଏବ! । ଯୁବତୀଙ୍କ ଭୂମିକା ସନ୍ଦେହରେ ରହିଛି । ସେଠାରେ ଉପସ୍ଥିତ ଥିବା ଯୁବତୀଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଦମକଳ ବାହିନୀ ପହଁଚିବା ପରେ ଯୁବତୀ ସେଠାରୁ ଚାଲି ଯାଇଥିଲେ । ପୂରୂଷ ବନ୍ଧୁଙ୍କ ସହ ଏକାଠି ଆସିଥିଲେ, ତେବେ ସେ କୂଆଡ଼େ ଚାଲିଗଲେ? କାହିଁକି ସେଠାରୁ ପଳାଇଗଲେ ? ଯୁବତୀ ଜଣଙ୍କ କିଏ ? ତାଙ୍କର ପରିଚୟ ମିଳିବା ପରେ ହିଁ ଏହି ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ କହିଛି ।
