ରାୟଗଡ଼ାରେ ପିଏମ୍-ସୂର୍ଯ୍ୟ ଘର ଯୋଜନାର ପ୍ରଚାର ପାଇଁ ‘ସୋଲାର ରଥ’ର ଶୁଭାରମ୍ଭ: ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ନେଇ ଟିପିଏସ୍ଓଡିଏଲ୍ର ବ୍ୟାପକ ସଚେତନତା ଅଭିଯାନ

ରାୟଗଡ଼ା, ନଭେମ୍ବର ୨୦୨୬: ରାୟଗଡ଼ା ଜିଲ୍ଲାର ସହରାଞ୍ଚଳଠାରୁ ଆରମ୍ଭ କରି ଦୁର୍ଗମ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସମ୍ପର୍କରେ ଜନସଚେତନତା ପହଞ୍ଚାଇବା ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ସୋଲାର ରଥର ଶୁଭାରମ୍ଭ କରାଯାଇଛି। ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଏହି ସୋଲାର ରଥକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟିପିଏସ୍ଓଡିଏଲ୍ର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ସୋଲାର ରଥ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ପରିଭ୍ରମଣ କରି ଗ୍ରାମ ପଞ୍ଚାୟତ, ସ୍ଥାନୀୟ ବଜାର ଓ ଗାଁଗୁଡ଼ିକରେ ପହଞ୍ଚିବ। ଏହା ମାଧ୍ୟମରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁଫଳ, ସ୍ୱଚ୍ଛ ଶକ୍ତି ବ୍ୟବହାରର ଦୀର୍ଘମିଆଦୀ ଲାଭ ଏବଂ ପିଏମ୍-ସୂର୍ଯ୍ୟ ଘର ଯୋଜନା ଅଧୀନରେ ଉପଲବ୍ଧ ସରକାରୀ ସବ୍ସିଡି ସମ୍ପର୍କରେ ଗ୍ରାହକମାନଙ୍କୁ ବିସ୍ତୃତ ଭାବେ ସଚେତନ କରାଯିବ।
ଏହାସହ ସୋଲାର ସାଙ୍ଗମାନଙ୍କ ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ବନ୍ଧୀୟ (ଆଇଇସି) ପ୍ରଚାରପତ୍ର ବଣ୍ଟନ କରାଯିବ। ଏଥିସହ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସୋଲାର ରଥରେ ରେଡିଓ ଜିଙ୍ଗଲ୍ର ବ୍ୟବସ୍ଥା ମଧ୍ୟ ରହିଛି। ଏହି ପ୍ରଚାରମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ଦୁର୍ଗମ ଓ ଗ୍ରାମାଞ୍ଚଳରେ ରହୁଥିବା ପରିବାରଗୁଡ଼ିକ ସମେତ ଅଧିକରୁ ଅଧିକ ଘରକୁ ଯୋଜନା ସମ୍ପର୍କିତ ସଠିକ୍ ସୂଚନା ପହଞ୍ଚାଇବାକୁ ଉଦ୍ୟମ କରାଯିବ। ସୂଚନାଯୋଗ୍ୟ ଯେ, ପିଏମ୍-ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଗ୍ରାହକମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇପାରିବେ।
ଏହି ଅବସରରେ ଟିପିଏସ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଦକ୍ଷିଣ ଓଡ଼ିଶାର ଅଧିକରୁ ଅଧିକ ପରିବାର, ବିଶେଷ କରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁଫଳ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ। ସୋଲାର ରଥ ମାଧ୍ୟମରେ ଆମେ ଏହି ସଚେତନତାର ବାର୍ତ୍ତା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା, ସୌର ପ୍ୟାନେଲ୍ ସ୍ଥାପନ ପ୍ରତି ବିଶ୍ୱାସ ସୃଷ୍ଟି କରିବା ଏବଂ ଏହାର ବ୍ୟାବହାରିକ ଲାଭ ବୁଝାଇବାକୁ ଉଦ୍ୟମ କରୁଛୁ। ନିରନ୍ତର ସଚେତନତା ଅଭିଯାନ ଓ ଗ୍ରାହକଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ମାଧ୍ୟମରେ ପିଏମ୍-ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ଅଧିକ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହ ଏକ ସ୍ୱଚ୍ଛ, ସବୁଜ ଏବଂ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭବିଷ୍ୟତ ଗଠନରେ ଯୋଗଦାନ କରିବାକୁ ଆମେ ଚାହୁଁଛୁ।”
ଏଭଳି ଅଭିଯାନ ମାଧ୍ୟମରେ ଟିପିଏସ୍ଓଡିଏଲ୍ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ଉପଭୋକ୍ତାଙ୍କୁ ସ୍ଥାୟୀ ଶକ୍ତି ସମାଧାନ ଆପଣାଇବା ପାଇଁ ସଶକ୍ତ କରିବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି।
ଉଦ୍ଘାଟନୀ ଅବସରରେ ଜୟପୁର ଜୋନାଲ୍ ହେଡ୍ ତଥା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ମନ୍ମଥ ନାଥ ମିଶ୍ର, ଏନ୍ଫୋର୍ସମେଣ୍ଟ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦ, ରାୟଗଡ଼ା ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ସାହୁ ଏବଂ ରିନ୍ୟୁଏବଲ୍ସ ସେଲ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
