ବଜରଙ୍ଗ ଦଳ ସଦସ୍ୟଙ୍କ ହତ୍ୟା ପରେ ଶିବମୋଗାରେ ପୋଡ଼ାଜଳା

add-all

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗାରେ ଜଣେ ୨୬ ବର୍ଷୀୟ ବଜରଙ୍ଗ ଦଳ ସଦସ୍ୟଙ୍କ ହତ୍ୟା ପରେ ବିବାଦ ତୀବ୍ର ହୋଇଛି। ୨୬ ବର୍ଷୀୟ ହର୍ଷଙ୍କୁ ରବିବାର ସନ୍ଧ୍ୟାରେ ୪ ଜଣ ଯୁବକ ଛୁରୀ ଭୁସି ହତ୍ୟା କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସକାଣ୍ଡ ଘଟିବାରୁ ଶିବମୋଗାରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ବିବାଦକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିଦିଆଯାଇଛି। ପୁଲିସ୍‌ ଫ୍ଲାଗମାର୍ଚ୍ଚ କରୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏସବୁ ଭିତିରେ କର୍ଣ୍ଣାଟକାରେ କ୍ଷମତାରେ ଥିବା ବିଜେପି ସରକାରର ଜଣେ ମନ୍ତ୍ରୀ ହତ୍ୟା କାଣ୍ଡ ପଛରେ ମୁସଲିମ ଗୁଣ୍ଡାଙ୍କ ହାତ ଥିବା ବଳି ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ଜୋର ଧରିଛି। ସେହିପରି ସାଂପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ହର୍ଷଙ୍କ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ପୋଡ଼ାଜଳା ଖବର ମିଳିଥିଲା। ଏହାପରେ ବିପୁଳ ସଂଖ୍ୟାରେ ପୁଲିସ୍‌ ମୁତୟନ କରାଯାଇଛି। ସେହିପରି ଲୋକଙ୍କ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଛି। ଏଥିସହ ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଅନୁରୋଧ କରିଛନ୍ତି। ହତ୍ୟାକୁ ନେଇ ପୁଲିସ୍‌ ପ୍ରମାଣ ପାଇଛି ଓ ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ ବୋଲି ମଧ୍ୟ ସେ କହିଛନ୍ତି।
ଅନ୍ୟପକ୍ଷରେ ଘଟଣାକୁ ନେଇ ରାଜନୀତିକ ମଧ୍ୟ ଆରମ୍ଭ ହୋଇଯାଇଛି। କର୍ଣ୍ଣାଟକାର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ କେଏସ୍‌ ଈଶ୍ୱରପ୍ପା ଘଟଣା ପାଇଁ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବୟାନକୁ ଦାୟୀ କରିଛନ୍ତି। ହିଜାବ ବିବାଦ ବେଳେ ସେ ବୟାନ ଦେଇ ଲୋକଙ୍କୁ ହତ୍ୟାକାଣ୍ଡ ପାଇଁ ଉସକାଇଥିବା ମନ୍ତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, “ହର୍ଷ ଜଣେ ଭଲ କର୍ମୀ ଥିଲେ। ସେ ଏମିତି ଜଣେ ଯୁବକ ଯିଏ ସବୁବେଳେ ସତକୁ ସମ୍ମାନ ଦେଉଥିଲେ। ଗତ ରାତିରେ ମୁସଲିମ ଗୁଣ୍ଡମାନେ ତାଙ୍କୁ ହତ୍ୟା କରିଛନ୍ତି। ନିକଟରେ ଶିବକୁମାର କହିଥିଲେ ଜାତୀୟ ପତାକା ବଦଳରେ ଶିକ୍ଷାନୁଷ୍ଠାନରେ ଗେରୁଆ ପତାକା ଲଗା ଯାଉଛି। ହିଜାବ ବିରୋଧୀ ଆନ୍ଦୋଳନ ପାଇଁ ସୁରତରୁ ୫୦ ଲକ୍ଷ ଗେରୁଆ ପତାକା ଅର୍ଡର କରାଯାଇଛି। ସେ ଏଭଳି ବୟାନ ଦେବା ପରେ ରାଜ୍ୟରେ ଗୁଣ୍ଡାଗିରି ବଢ଼ିଥିଲା। ହେଲେ ଆମେ କେବେ ହେଲେ ଏପରି ଗୁଣ୍ଡାରାଜକୁ ପ୍ରଶ୍ରୟ ଦେବୁ ନାହିଁ। ଆମେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ପରିବାର ବର୍ଗଙ୍କୁ ସହାୟତା ପାଇଁ ପ୍ରସ୍ତୁତ।”
ମନ୍ତ୍ରୀ ଈଶ୍ୱରପ୍ପାଙ୍କ ଏପରି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିକେ ଶିବକୁମାର। ସେ ମନ୍ତ୍ରୀଙ୍କୁ ଜଣେ ପାଗଳ ବୋଲି କହିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି। ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଗୃହମନ୍ତ୍ରୀ ଅରଗା ଜନନେନ୍ଦ୍ର ବିଫଳ ହୋଇଥିବାରୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି।
ରାଜନେତାମାନ ହିଜବା ବିବାଦ ସହ ହର୍ଷଙ୍କ ହତ୍ୟାକାଣ୍ଡକୁ ଯୋଡ଼ୁଥିଲେ ମଧ୍ୟ ପୁଲିସ୍‌ ଏହାକୁ ଖଣ୍ଡନ କରିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, “ହିଜାବ ବିବାଦ ସହ ଏହି ହତ୍ୟାକାଣ୍ଡର ଲିଙ୍କ ଥିବା ଏଯାଏ ପ୍ରମାଣ ମିଳିନି। ଏନେଇ ଶିବମୋଗା ଜିଲ୍ଲାର ଡୋଡ୍ଡାପେଟେ ପୁଲିସ୍‌ ଷ୍ଟେସନରେ ମାମଲା ରୁଜୁ ହୋଇଛି।

ଆମେ ହତ୍ୟାରେ ସାମିଲ ଥିବା ଲୋକଙ୍କ ପ୍ରମାଣ ପାଇଛୁ। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ହର୍ଷ ଓ ତାଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗ ପରସ୍ପରକୁ ପୂର୍ବରୁ ଜାଣିଥିଲେ। ଲାଗୁଛି ପୁରୁଣା ଶତ୍ରୁତାରୁ ଏପରି ଘଟଣା ଘଟିଛି।”

ad-week
Leave A Reply

Your email address will not be published.