ଶ୍ରୀମନ୍ଦିରରେ ମେଣ୍ଢା ପୋଡ଼ି ନୀତି ପାଳିତ

add-all

ପୁରୀ: ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ମେଣ୍ଢା ପୋଡ଼ି ବା ଦାବାଗ୍ନି ଲୀଳା ଅନୁଷ୍ଠିତ ହୋଇଛି। ମେଣ୍ଢାପୋଡ଼ି ନୀତି ପଛରେ ଏକ ପୌରାଣିକ ଉପାଖ୍ୟାନ ରହିଛି। ବିଷ୍ଣୁଙ୍କ ମହାନ ଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଚେଷ୍ଟା ଚଳାଇଥିଲା। ହେଲେ ପ୍ରହଲ୍ଲାଦ ଭକ୍ତ ହୋଇଥିବାରୁ ହିରଣ୍ୟକଶ୍ୟପଙ୍କର ଏହି ଉଦ୍ୟମ ସଫଳ ହେଉନଥିଲା।

ହିରଣ୍ୟର ଭଉଣୀ ହୋଲିକା ବରପ୍ରାପ୍ତ ହୋଇଥିଲା କି ତାକୁ ନିଆଁ ଜଳାଇ ପାରିବ ନାହିଁ। ଏଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ। ଭାବିଥିଲେ ପ୍ରହଲ୍ଲାଦ ଜଳିଯିବ ଓ ହୋଲିକାର କିଛି ହେବ ନାହିଁ । ତେବେ ଫଳ ଓଲଟା ହେଲା। ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ।

ମେଷ ବା ମେଣ୍ଢା ହେଉଛି ଅଗ୍ନିଙ୍କ ବାହନ। ଅଗ୍ନିଙ୍କ ଏହି ଭକ୍ତ ବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହୁଏ ବୋଲି ପ୍ରବାଦ ରହିଛି। ଏହି ନୀତି ପାଇଁ ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଚାଚେରୀ ବେଶ କରାଯାଇଥିଲା। ମହାଜନମାନେ ଠାକୁରଙ୍କୁ ଲକ୍ଷ୍ମୀମନ୍ଦିରରେ ଥିବା ଖଟିଆ ଉପରେ ବିରାଜମାନ କରାଇଥିଲେ । ଏହା ପରେ ସେଠାରେ ଝିମିରି ଫଗୁ ଖେଳ ହୋଇଥିଲା।

ଶୀତଳଭୋଗ ଓ ବନ୍ଦାପନା ସରିବା ପରେ ଠକୁରମାନଙ୍କୁ ବିମାନରେ ବିଜେ ହୋଇ ଦୋଳବେଦି କୋଣକୁ ଶୋଭାଯାତ୍ରାରେ ନିଆଯାଇଥିଲା।ପୂର୍ବରୁ ଗୋବର ଘସିରେ ମେଣ୍ଢାକୁଡ଼ିଆ ପ୍ରସ୍ତୁତ ଥିଲା। ଏଥିରେ ଅଗ୍ନି ସଂଯୋଗ କରାଯିବା ପରେ ଠାକୁର ବିମାନରେ ୭ ଥର ପରିକ୍ରମା କରିଥିଲେ। ଦୋଳବେଦି ଉପରେ ହିଁ ସନ୍ଧ୍ୟାଧୂପ ନୀତି ହୋଇଥିଲା।

ad-week
Leave A Reply

Your email address will not be published.