ପ୍ରୋ ଲିଗ୍ ହକି: ଇଂଲଣ୍ଡ ବିପକ୍ଷରେ ଭାରତର ଲଗାତାର ବିଜୟ

add-all

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଇଂଲଣ୍ଡ ବିପକ୍ଷ ପ୍ରୋ ଲିଗ୍ ହକି ମ୍ୟାଚ୍‌ରେ ଆୟୋଜକ ଭାରତ ଶତପ୍ରତିଶତ ସଫଳତା ପାଇଛି। ରବିବାର ପାଲଟା ମୁକାବିଲାରେ ଇଂଲଣ୍ଡକୁ ୪-୩ ଗୋଲ୍‌ରେ ହରାଇଛି ଭାରତ। ତା ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଦିନରେ ଦୁଇଟି ବିଜୟ ହାସଲ କରିଛି। ଶନିବାର ପ୍ରଥମ ମୁକାବିଲା‌ରେ ଆୟୋଜକ ଭାରତ ଚିତ୍ତାକର୍ଷକ ଢଙ୍ଗରେ ଭ୍ରମଣକାରୀ ଇଂଲଣ୍ଡକୁ ସୁଟଆଉଟ୍‌ରେ ପରାସ୍ତ କରିଥିଲା। ଲଗାତାର ବିଜୟ ପରେ ଭାରତ ଏବେ ୧୦ ମ୍ୟାଚ୍‌ରୁ ୨୧ ପଏଣ୍ଟ ଅର୍ଜନ କରି ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରିନେଇଛି।
ଆଜିର ଏହି ମୁକାବିଲାରେ ଇଂଲଣ୍ଡ ମ୍ୟାଚ୍‌ର ପ୍ରଥମ ଗୋଲ୍ ଦେଇଥିଲା। ହେଲେ ଭାରତ ଅଧିକାଂଶ ସମୟ ଆଧିପତ୍ୟ ବିସ୍ତାର କରିଥିଲା। ସପ୍ତମ ମିନିଟ୍‌ରେ ଲିଆମ ସାନଫୋର୍ଡ ପେନାଲ୍ଟିଂ କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଇଂଲଣ୍ଡକୁ ଆଗୁଆ କରିଥିଲେ। ଭାରତ କିନ୍ତୁ ଏହା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା‌ ସହ ୧୧ ମିନିଟ୍ ବ୍ୟବଧାନରେ ତିନିଟି ଗୋଲ୍ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ୩-୧ରେ ଆଗୁଆ ହୋଇଯାଇଥିଲା। ସେଥିମଧ୍ୟରୁ ଦୁଇଟି ‌ଗୋଲ୍ ମନପ୍ରୀତ ସିଂହ (୧୫, ୨୬ ମିନିଟ୍) ଦେଇଥିଲା ବେଳେ ହରମନପ୍ରୀତ ସିଂହ ‌ଗୋଟିଏ ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧର ଚାରିଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା। ଇଂଲଣ୍ଡ ତୃତୀୟ କ୍ବାର୍ଟରରେ ଫେରି ୩୯ତମ ମିନିଟ୍‌ରେ ଡେଭିଡ୍ କଣ୍ଡନଙ୍କ ଗୋଲ୍ ବଳରେ ସ୍ଥିତି ୩-୨ କରିନେଇଥିଲା। ତେବେ ହର୍ମନପ୍ରୀତଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ବଳରେ ଭାରତ ୪-୨ରେ ଆଗୁଆ ହୋଇଯାଇଥିଲା। ସାମ୍ ୱାର୍ଡ ଚତୁରତାର ସହ ଇଂଲଣ୍ଡ ପକ୍ଷରୁ ସହଜରେ ତୃତୀୟ ଗୋଲ୍ କରି ନେଇଥିଲେ। ଫଳରେ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ଭାରତ ଗୋଟିଏ ଗୋଲ୍ ବ୍ୟବଧାନ ଅର୍ଥାତ୍ ୪-୩ରେ ଆଗୁଆ ରହିଥିଲା। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନପାରିବାରୁ ଭାରତ ସେହି ୪-୩ ଗୋଲ୍‌ରେ ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା। ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ବରେ ଖେଳୁଥିବା ଭାରତୀୟ ଦଳର ପ୍ରାରମ୍ଭିକ ଏକାଦଶରେ ସ୍ଥାନୀୟ ଖେଳାଳି ନିଲମ ସଂଜୀବ ଖେସ୍ ଥିଲେ। ଶିଳାନନ୍ଦ ଲାକ୍ରା ବି ନିଜ ଯାଦୁ ଦେଖାଇଥିଲେ।
ସ୍ଥଗିତ ରହିଥିବା ଜର୍ମାନୀ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଜ୍ ଭାରତ ଚଳିତ ମାସ ୧୪ ଓ ୧୫ ତାରିଖରେ ଖେଳିବ। ପୂର୍ବରୁ ଏହି ମ୍ୟାଚ୍ ଗତମାସ ୧୨ ଓ ୧୩ ତାରିଖରେ ଖେଳାଯିବାର ଥିଲା। ହେଲେ ଜର୍ମାନି ଦଳ କରୋନା ସଂକ୍ରମିତ ଯୋଗୁଁ ଭାରତ ଗସ୍ତରେ ଆସିବାକୁ ରାଜି ହୋଇନଥିଲା। ଏବେ ପରିସ୍ଥିତି ସୁଧୁରି ଯାଇଥିବାରୁ ଓଡ଼ିଶା ଆସି କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳିବାକୁ ଜର୍ମାନୀ ରାଜି ହୋଇଛି। ଭ୍ରମଣକାରୀ ଜର୍ମାନୀ ଖେଳାଳିମା‌ନେ ମଧ୍ୟ ଏହି ଦୁଇ ମ୍ୟାଚ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ad-week
Leave A Reply

Your email address will not be published.