ବସନ୍ତ ମହୋତ୍ସବ ପାଳନ ଉପଲକ୍ଷେ ନବଜୀବନର ସାମ୍ବାଦିକ ସମ୍ମିଳନୀ

add-all

ସୁନ୍ଦରଗଡ଼ (୦୮/୦୪) : ଓଡ଼ିଶାର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ” ନବଜୀବନ” ଆସନ୍ତା ଅପ୍ରେଲ ୧୨ ଓ ୧୩ ତାରିଖରେ ବସନ୍ତ ମହୋତ୍ସବ ପାଳନ କରିବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ନବଜୀବନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ନବଜୀବନର ସଭାପତି ପ୍ରଦୀପ ଭୋଳ ଏବଂ ସମ୍ପାଦକ ଅଜୟ ବହିଦାର ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସମାରୋହରେ ଚାରିଟି ନାଟକ ଅନୁଷ୍ଠିତ ହେବ। ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଦୀପ ଭୋଳଙ୍କ ରଚିତ ହୃଦୟସ୍ପର୍ଶୀ ନାଟକ ମାମୁଁ, ଭାର୍ , ଚିଠି ଏବଂ ଦିନ୍‌ ଗୁଡ଼ିକ ଏହି ଦୁଇ ଦିନରେ ମଞ୍ଚସ୍ଥ ହେବାର ସ୍ଥିରୀକୃତ ହୋଇଛି। ମାମୁଁ ନାଟକର ନିର୍ଦ୍ଦେଶନା ନବଜୀବନର ପ୍ରଦୀପ ଭୋଳ, ଚିଠି ନାଟକର ନିର୍ଦ୍ଦେଶନା ଅଦୃଶ୍ୟ ନାଟ୍ୟାଶ୍ରମର ଆତିଶ ଶତପଥୀ ଏବଂ ଦିନ୍‌, ଭାର୍ ନାଟକର ନିର୍ଦ୍ଦେଶନା ମଞ୍ଚନାୟକର ପ୍ରଦୀପ ପଣ୍ଡା କରୁଥିବାର ସୂଚନା ସମ୍ପାଦକ ପ୍ରଦୀପ ଭୋଳ ପ୍ରଦାନ କରିଛନ୍ତି। ଏହା ସହିତ ସୁନାମଧନ୍ୟ କଳାକାର ଦେବେନ ଅମାତ୍ ମଞ୍ଚସଜ୍ଜା କରୁଥିବା ବେଳେ ସସ୍ମିତା ସାହୁ, ଦୁର୍ଗା ପଣ୍ଡା ଓ ଗିରିଜା ଶଙ୍କର ମିଶ୍ର ସଙ୍ଗୀତ ନିର୍ଦ୍ଦେଶନା ଦେବା ମଧ୍ୟ ସେ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ସାଂସ୍କୃତିକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ ସଙ୍ଗୀତଜ୍ଞ ଭୂପେନ ଅମାତ ଓ ପୂର୍ବତନ ଆଲୋକସଜ୍ଜା ବିଶେଷଜ୍ଞ ଟୁଲୁ ଲୁଗୁନଙ୍କୁ ନବଜୀବନ ସମ୍ମାନରେ ସମ୍ମାନୀତ କରାଯିବାର ସ୍ଥିରୀକୃତ ହୋଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଳାକାର ଲକ୍ଷିପ୍ରୀୟା ପତି, ଲତିକା ପଟ୍ଟନାୟକ ଓ ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ନବଜୀବନ ତରଫରୁ ନାଟକର ପୁନରୁଦ୍ଧାର ପାଇଁ ଏହି ବସନ୍ତ ମହୋତ୍ସବର ଟିକେଟ ଗୁଡ଼ିକ ପାଞ୍ଚ ଶହ, ତିନିଶହ ଏବଂ ଦୁଇ ଶହ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସମ୍ପାଦକ ପ୍ରଦୀପ ଭୋଳ।

ad-week
Leave A Reply

Your email address will not be published.