
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ଅଧୀନସ୍ତ ଧୁସାରି ଗ୍ରାମର ବାସ୍ନାକାଲୁ ମାଝୀଙ୍କ ଝିଅ ଝୁମିତା ମାଝୀ (୩୬) ପ୍ରାୟ ୧୮ବର୍ଷରୁ ଅଧିକ ହେବ ତାଙ୍କ ବାମ ଗୋଡ଼ର ମାଂସ ଅସ୍ବାଭାବିକ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଡାହାଣ ଗୋଡ଼ ମଧ୍ୟ ଧୀରେ ଧୀରେ ଫୁଲିବା ଆରମ୍ଭ କଲାଣି। ଆଦିବାସୀ ସମ୍ପ୍ରଦାୟ, ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ଯୋଗୁଁ ଉପଯୁକ୍ତ ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକ। ମୂଲ ଲାଗିଲେ ପରିବାର ଚଳେ। ପାଖରେ ଯାହାବି ଟଙ୍କା ଥିଲା ଡାକ୍ତରଖାନାରେ ଖର୍ଚ୍ଚରେ କରିସାରିଛନ୍ତି। ଡାକ୍ତର ତାଙ୍କୁ ଅପରେସନ ପାଇଁ କହୁଥିବା ବେଳେ ପରିବାର ପକ୍ଷରୁ ଅର୍ଥ ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ଘରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଛି। ଚାଲିବା ଦୂର କଥା ଚଟାଣରୁ ଉଠିବା କଷ୍ଟ ହୋଇପଡ଼ିଛି। ନିତ୍ୟ କର୍ମ ଠାରୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଅର୍ଥ ଅଭାବରୁ ଚିକିତ୍ସା କରାଇ ନ ପାରି ଏଭଳି ଦୁଃଖଦ ଜୀବନ ବିତାଉଛନ୍ତି ଝୁମିତା। ଦୀର୍ଘ ଦିନରୁ ବାପାଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ସେ ବୃଦ୍ଧା ମାଆ ଓ ବଡ଼ ଭାଇଙ୍କ ପରିବାର ସହ ରହୁଛି। କୌଣସି କାରଣରୁ ଆଧାର କାର୍ଡ଼ ମଧ୍ୟ ନାହିଁ । ଏପଟେ ରାସନ କାର୍ଡ଼ରୁ ଟଙ୍କିଆ ଚାଉଳ ବି ପାଉନାହାନ୍ତି। ସରକାରୀ ସହାୟତା କହିଲେ କେବଳ ୫୦୦ ଟଙ୍କା ଭତ୍ତା ପାଉଥିବା ଜଣାପଡିଛି। ଏହି କିଛି ଦିନ ତଳେ (ବ୍ଲକ ଚ୍ୟାରମେନ) ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଗଦାପୁର ପଞ୍ଚାୟତ ପରିଦର୍ଶନରେ ଯାଇ ଧୁସାରି ଗ୍ରାମରେ ପହଞ୍ଚି ଝୁମିତାର ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ରାସନ ଚାଉଳ ଓ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଭଳି ଦୁଃଖଦ ପରିସ୍ଥିତିରେ ଯଥା ଶୀଘ୍ର ଝୁମିତାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଝୁମିତାର ପରିବାର ସଦସ୍ୟ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି କରୁଥିବା ପ୍ରକାଶ ପାଇଛି।