ମୁଣ୍ଡକା ଅଗ୍ନିକାଣ୍ଡସ୍ଥଳ ଗସ୍ତ କରି ମୃତବ୍ୟକ୍ତିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ସାହାଯ୍ୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌

add-all

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅଗ୍ନିକାଣ୍ଡରେ ୪ ତାଲା କୋଠା ପୋଡ଼ିଯାଇଥିବା ମୁଣ୍ଡକା ଅଞ୍ଚଳ ଗସ୍ତ କରି କହିଲେ ଯେ, ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ଲାଗି ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି। ଏହାଛଡ଼ା, ପ୍ରତି ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ସହାୟତା ଦେବା ପାଇଁ ସେ ଘୋଷଣା କରିଛନ୍ତି।
ଆହତ ହୋଇଥିବା ୧୨ଜଣ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ୫୦,୦୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି ଯେ, ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଶବଗୁଡ଼ିକୁ ଚିହ୍ନିବା ଅସମ୍ଭବ ହୋଇଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ମୁଣ୍ଡକା ମେଟ୍ରୋ ଷ୍ଟେସନ୍‌ ନିକଟରେ ଥିବା ଅଟ୍ଟାଳିକାରେ ନିଆଁ ଲାଗିବା ସମୟରେ ୭୫ରୁ ଅଧିକ ବ୍ୟକ୍ତି ଥିଲେ। ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ପ୍ରଥମ ତାଲାରେ ଥିବା ଗୋଟାଏ ଅଫିସ୍‌ରେ ନିଆଁ ଲାଗି ଦ୍ରୁତ ବେଗରେ ବ୍ୟାପିଯାଇଥିଲା।
ପୁଲିସ କହିବା ଅନୁସାରେ, କମ୍ପାନିର ମାଲିକ ହରିଶ ଗୋଏଲ୍‌ ଏବଂ ତାଙ୍କ ଭାଇ ବରୁଣ ଗୋଏଲଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉଭୟଙ୍କ ବାପା ଅମରନାଥ ଗୋଏଲ୍‌ ଅଛନ୍ତି। ଅଗ୍ନିଶମ ବିଭାଗରୁ ‘ସେଫ୍ଟି କ୍ଲିୟରାନ୍‌ସ୍’ ପାଇ ନ ଥିବା ଉକ୍ତ ଅଟ୍ଟାଳିକାର ମାଲିକ ମନୀଷ ଲାକ୍ରା ଫେରାର୍‌ ହୋଇ ଯାଇଛନ୍ତି। ଏଯାବତ୍‌ ସେଠାରୁ ୨୭ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୨୯ଜଣ ନିଖୋଜ ଅଛନ୍ତି।

ad-week
Leave A Reply

Your email address will not be published.