କେନ୍ଦ୍ର ସରକାର ଆଉ ୩ ବର୍ଷ ପାଇଁ ‘ଜିଏସ୍‌ଟି’ କ୍ଷତିପୂରଣ ସମୟସୀମା ବୃଦ୍ଧି କରନ୍ତୁ: ପି. ଚିଦମ୍ବରମ୍‌

add-all

ଉଦୟପୁର: ସାମ୍ପ୍ରତିକ ଆର୍ଥିକ ପରିସ୍ଥିତି ଏବଂ ରାଜ୍ୟଗୁଡ଼ିକର ରୁଗ୍‌ଣ ଆର୍ଥିକ ଅବସ୍ଥା କାରଣରୁ ଆଉ ୩ ବର୍ଷ ପାଇଁ ‘ଗୁଡ୍‌ସ୍‌ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ୍‌’ (ଜିଏସ୍‌ଟି) କ୍ଷତିପୂରଣ ସମୟସୀମା ବୃଦ୍ଧି କରାଯାଉ ବୋଲି କଂଗ୍ରେସ ପାର୍ଟି ଦାବି କରିଛି।
ରାଜସ୍ଥାନର ଉଦୟପୁରରେ ଆୟୋଜିତ କଂଗ୍ରେସର ‘ଚିନ୍ତନ ଶିବିର’ରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ କହିଛନ୍ତି, ଉଦାରିକରଣକୁ ଆଗେଇ‌ ନେବା ଏବଂ ଅସମାନତା ଏବଂ ଉତ୍କଟ ଦାରିଦ୍ର୍ୟର ମୁକାବିଲା ନିମନ୍ତେ ଆର୍ଥିକ ନୀତିର ପୁନର୍ବିନ୍ୟାସ ଆବଶ୍ୟକ।
ଉଲ୍ଲେଖଯୋଗ୍ୟ, ‘ଜିଏସ୍‌ଟି’ ଲାଗୁ କରାଯିବା ପରେ ରାଜ୍ୟଗୁଡ଼ିକର ରାଜସ୍ବରେ ହେଉଥିବା କ୍ଷତି ଭରଣା ପାଇଁ ୫ ବର୍ଷ ପାଇଁ କ୍ଷତିପୂରଣ ଦିଆଯାଉଥିଲା। ଚଳିତ ବର୍ଷ ଜୁନ୍‌ ମାସରେ ସେ ବ୍ୟବସ୍ଥାର ଅବସାନ ଘଟିବ।
ସାମ୍ପ୍ରତିକ ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଭିହିତ କରି ଚିଦମ୍ବରମ୍ କହିଲେ, ମୁଦ୍ରାସ୍ଫିତି ଅସହ୍ୟ ସ୍ତରକୁ ବୃଦ୍ଧି ପାଇଛି। ‘ଡବ୍ଲୁପିଆଇ’ ୧୪.୫୫%ରେ ଥିବା ବେଳେ ‘ସିପିଆଇ’ ୭.୯%ରେ ରହିଛି। ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଅଧିକ ଟିକସ ଓ ‘ଜିଏସ୍‌ଟି’ ଟିକସ ବସୁଛି। ନିଯୁକ୍ତି ପରିସ୍ଥିତି ମଧ୍ୟ ଏଭଳି ମନ୍ଥର କେବେ ହୋଇ ନ ଥିଲା। ନିଯୁକ୍ତି ହାର ଏବେ ୪୦.୩୮% ଥିବା ବେଳେ ବେକାରୀ ହାର ୭.୮୩% ରହିଛି।
ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମୁଦ୍ରାସ୍ଫିତି ହାର ବୃଦ୍ଧି ବୋଲି କୁହାଯାଉଥିବା କାରଣକୁ ଅଗ୍ରାହ୍ୟ କରି ସେ କହିଛନ୍ତି, ଏହା ଅଯୌକ୍ତିକ ବାହାନା। ୟୁକ୍ରେନ୍‌ ଯୁଦ୍ଧ ପୂର୍ବରୁ ମଧ୍ୟ ମୁଦ୍ରାସ୍ଫିତି ବୃଦ୍ଧି ପାଇଥିଲା। ମୁଦ୍ରାସ୍ଫିତିର କାରଣ ଭାବେ ୟୁକ୍ରେନ୍‌ ଯୁଦ୍ଧକୁ ସାମିଲ କରାଯାଇଛି।

ad-week
Leave A Reply

Your email address will not be published.