ଏସିଆ କପ୍‌ ହକି: ଭାରତ-ପାକିସ୍ତାନ ଉତ୍କଣ୍ଠାପୂର୍ଣ୍ଣ ଡ୍ର’

add-all

ଜାକର୍ତ୍ତା (ଇଣ୍ଡୋନେସିଆ): ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ଚଳିତ ଏସିଆ କପ୍ ହକି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌କୁ ଭାରତ ଉତ୍କଣ୍ଠାପୂର୍ଣ୍ଣ ଭାବେ ୧-୧ ଗୋଲ୍‌ରେ ଅମୀମାଂସିତ ରଖିଛି। ଭାରତ ପକ୍ଷରୁ ପଦାର୍ପଣକାରୀ ସେଲବମ୍‌କାର୍ତ୍ତି ନବମ ମିନିଟ୍‌ରେ ପ୍ରଥମ ଓ ଏକମାତ୍ର ଗୋଲ୍ ଦେଇଥିଲେ। ତେବେ ମ୍ୟାଚ୍ ଶେଷ ହେବାର ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ପାକିସ୍ତାନକୁ ପେନାଲ୍ଟି କର୍ଣ୍ଣର ପ୍ରଦାନ କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅବଦୁଲ ରାଣା ଏହାକୁ ସଫଳତାର ସହ ଗୋଲ୍‌ରେ ରୂପାନ୍ତର କରିବା ପରେ ଗତଥର ବିଜେତା ଭାରତ ଏକ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା‌। ଅଲିମ୍ପିଆନ୍ ତଥା ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଏହି ପ୍ରତିଯୋଗିତା ଖେଳୁଥିବା ଭାରତୀୟ ଦଳ ପ୍ରଥମ କ୍ବାର୍ଟରରେ ପାକିସ୍ତାନ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା।
ଏହି କ୍ବାର୍ଟରରେ ଭାରତ ତିନିଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରିବା ସହ ଶେଷଟିକୁ ‌ଗୋଲ୍‌ରେ ପରିଣତ କରିଥିଲା। କାର୍ତ୍ତିଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତକୁ ଏକାଧିକ ସୁଯୋଗ ମିଳିଥିଲା। ହେଲେ ଏଥିରୁ ଦଳ ବିଶେଷ ଫାଇଦା‌ ଉଠାଇ ପାରି ନଥିଲା। ତୃତୀୟ କ୍ବାର୍ଟର ତଥା‌ ଚତୁର୍ଥ କ୍ବାର୍ଟରରେ ଭାରତୀୟ ରକ୍ଷଣଭାଗ ପାକିସ୍ତାନର ଘନ ଘନ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଥିଲା। ହେଲେ ଶେଷ କ୍ଷଣରେ ଧ୍ୟାନ ହଟାଇବାର ପୁରୁଣା ଭୁଲ୍‌କୁ ଦୋହରାଇ ପାକିସ୍ତାନକୁ ମ୍ୟାଚ୍‌କୁ ଅମୀସାଂସିତ ରଖିବାର ସୁଯୋଗ ଦେଇଥିଲା। ଭାରତ ତାର ପରବର୍ତ୍ତୀ ପୁଲ୍ ମ୍ୟାଚ୍‌ରେ ମଙ୍ଗଳବାର ଜାପାନକୁ ଭେଟିବ।

ad-week
Leave A Reply

Your email address will not be published.