ଏମ୍ସ ଭୁବନେଶ୍ୱରରେ କର୍କଟ ରୋଗୀଙ୍କ ପାଇଁ ଆରମ୍ଭ ହେଲା ଆଇସିୟୁ ସୁବିଧା

add-all

ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି/ ହେମାଟୋଲୋଜି ବିଭାଗ ପକ୍ଷରୁ ଉତ୍ସର୍ଗୀକୃତ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଡକ୍ଟର ତ୍ରିପାଠୀ ମେଡିକାଲ ଅଙ୍କୋଲୋଜି/ହେମାଟୋଲୋଜି ରୋଗୀଙ୍କ ପ୍ରତି ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି, ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରବୋଧ ଦାସ, ଆସୋସିଏଟ୍ ପ୍ରଫେସର ଡ. ସୌରଭ କୁମାର ମିଶ୍ର ଏବଂ ସହକାରୀ ପ୍ରଫେସର ଡ. ଇଲାଭାରାସୀ ଭାନିଡାସାନେ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଜରୁରୀ ଅଟେ। ଏମ୍ସ ଭୁବନେଶ୍ୱର ମେଡିକାଲ ଅଂକଲୋଜି/ହେମାଟୋଲୋଜି ବିଭାଗ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର କର୍କଟ ଓ ରକ୍ତ କର୍କଟ ରୋଗୀଙ୍କ ବିଭିନ୍ନ ସମସ୍ୟାର ଯତ୍ନ ନେଇଥାଏ। ମେଡିକାଲ୍ ଅଙ୍କୋଲୋଜି/ହେମାଟୋଲୋଜି ବିଭାଗକୁ ଆସିବା ବେଳେ ଏହି ରୋଗୀଙ୍କ ମଧ୍ୟରୁ ବହୁ ସଂଖ୍ୟକ ଗୁରୁତର ଥାଆନ୍ତି। ତେଣୁ ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ନିମନ୍ତେ ଆଇସିୟୁର ଆବଶ୍ୟକତା ରଖିଥାନ୍ତି। ରକ୍ତ କର୍କଟ ରୋଗଜନିତ ବିଭିନ୍ନ ସମସ୍ୟାର ପୀଡ଼ିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆଇସିୟୁର ଆବଶ୍ୟକତା ରହିଥାଏ। ଯାହାକି ଏକ ମିଳିତ ଆଇସିୟୁ ସେଟିଂରେ ସେବା ପ୍ରଦାନ କରାଯାଇପାରିବ ନାହିଁ। ତେଣୁ ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗରେ ସ୍ୱତନ୍ତ୍ର ଆଇସିୟୁର ଆବଶ୍ୟକତା ଅଧିକ ବୋଲି ଡାକ୍ତର ପ୍ରବୋଧ ଦାସ ପ୍ରକାଶ କହିଛନ୍ତି।

ଏହି ଆଇସିୟୁରେ ପ୍ରତ୍ୟେକ ଶଯ୍ୟା ପାଇଁ ଭେଣ୍ଟିଲେଟର ସହିତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପକରଣ ଉପଲବ୍ଧ ରହିଛି। କର୍କଟ ଏବଂ ହେମାଟୋଲୋଜିକାଲ୍ ବ୍ୟାଧିରେ ପୀଡିତ ରୋଗୀମାନେ ଏହି ସୁବିଧା ଦ୍ୱାରା ବହୁ ଉପକୃତ ହେବେ। ଏପରିକି ଡାୟଲିସିସ୍ ସୁବିଧା ମଧ୍ୟ ଶଯ୍ୟା ନିକଟରେ କରାଯାଇପାରିବବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.