ଭୁବନେଶ୍ୱରରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ

add-all

ଭୁବନେଶ୍ବର : ଯୌତୁକ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ମାସେ ପରେ ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ମା। ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ସ୍ବାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରିଛି। ପ୍ରକାଶ ବିରୋଧରେ ଧାରା ୩୦୨, ୪୯୮ ଓ ୩୦୪ (ବି)ରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଅଣ୍ଡରାଇ ଗ୍ରାମର ପ୍ରଭାବତୀ ନାୟକ ଗତମାସ ଏପ୍ରିଲ ୨୮ ତାରିଖରେ ସରକନ୍ତରା ଗ୍ରାମର ପ୍ରକାଶ ଖୁଣ୍ଟିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପ୍ରକାଶଙ୍କ ପରିବାରର ଦାବି ମୁତାବକ ଯୌତୁକ ବାବଦକୁ ଦୁଇଶହ ଗ୍ରାମ ଓଜନର ସୁନା ଅଳଙ୍କାର ସହିତ ୪ ଲକ୍ଷ ଟଙ୍କା ପ୍ରଭାବତୀଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା। ତେବେ ଗତକାଲି ସ୍ୱାମୀ ପ୍ରକାଶ ପତ୍ନୀ ପ୍ରଭାବତୀଙ୍କୁ ମାଡ଼ ମାରିଥିବା ନବବଧୂଙ୍କ ମା’ ମାଧବୀଲତା ଫୋନ୍‍ ଯୋଗେ ଖବର ପାଇଥିଲେ। କିଛି ସମୟ ପରେ ମାଧବୀଲତା ଝିଅର ଶାଶୂଘରଙ୍କୁ ଫୋନ୍‍ କରିବାରୁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ଶାଶୂ ଘର ଲୋକେ ପ୍ରଭାବତୀଙ୍କୁ ଚିକିତ୍ସା ପାଇଁ ଏମ୍‍ସରେ ଭର୍ତ୍ତି କରିଥିଲେ। ପ୍ରଥମେ ପ୍ରଭାବତୀ ଆତ୍ମହତ୍ୟା କରିଥିବା କଥା କହିବା ପରବର୍ତ୍ତୀ ସମୟରେ ଶାଶୂଘର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯିବା ମା’ ମାଧବୀଲତାଙ୍କୁ ସନ୍ଦେହରେ ପକାଇଥିଲା। ଶାଶୂଘର ଲୋକେ ଝିଅକୁ ହତ୍ୟା କରିଛନ୍ତି ଓ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ମାଧବୀଲତା ଅଭିଯୋଗ କରିଥିଲେ।

ଅନ୍ୟପଟରେ ବିବାହ ପରଠାରୁ ସ୍ୱାମୀ ପ୍ରକାଶଙ୍କ ସମେତ ଶାଶୂ, ଶଶୁର, ଯା, ଦେଢ଼ଶୁର ଓ ଜଣେ ସମ୍ପର୍କୀୟ ଭାଇ ପ୍ରଭାବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ମାଧବୀଲତା ଅଭିଯୋଗ କରିଛନ୍ତି। ଏଥିସହିତ ବିବାହ ପରଠାରୁ ଶାଶୂଘର ଲୋକେ କାର୍‍ ଓ ଅଧିକ ଯୌତୁକ ଦାବି କରୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ନବବଧୂଙ୍କ ମା’ ମାଧବୀଲତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଦଫା ୪୯୮-ଏ, ୩୦୨, ୩୦୪-ବି, ୩୪ ଓ ଯୌତୁକ ନିଷିଦ୍ଧ ଆଇନ ୪ରେ ମାମଲା ରୁଜୁ କରିଛି। ଏଥିସହିତ ନବବଧୂଙ୍କ ସ୍ୱାମୀ ପ୍ରକାଶ କୁମାର ଖୁଣ୍ଟିଆ, ଶାଶୂ ବିମଳା ଖୁଣ୍ଟିଆ, ଶଶୁର ପ୍ରମୋଦ ଖୁଣ୍ଟିଆ, ଦେଢ଼ଶୁର ପବିତ୍ର ଖୁଣ୍ଟିଆ ଓ ଯା ପ୍ରିୟଂସୀ ଖୁଣ୍ଟିଆଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ପୁଲିସ ପ୍ରଭାପତିଙ୍କ ସ୍ୱାମୀ ପ୍ରକାଶ ଖୁଣ୍ଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି ପୁଲିସ।

ad-week
Leave A Reply

Your email address will not be published.