ନବ ବଧୁକୁ ହତ୍ୟା ଅଭିଯୋଗ, ସ୍ଵାମୀ ଅଟକ

add-all

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ପାଦରୁ ଅଳତା ନ ଲିଭୁଣୁ ନବ ବଧୁକୁ ମାରି ଦେଇଥିବା ଏକ ଖବର ହସ୍ତଗତ ହୋଇଛି। ନବ ବିବାହିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ଵାମୀଙ୍କୁ ଥାନାରେ ଅଟକ ରଖାଯାଇଥିବା ଶୁଣାଯାଉଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗଳା ଯୋଡି ଗ୍ରାମର ଦୀପକ କୁମାର ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳା ଯୋଡି ଗ୍ରାମର ପିଙ୍କି ରାଉତଙ୍କୁ ଗତ ୩ ମାସ ତଳେ ପ୍ରେମ ବିବାହ କରିଥିଲେ। ମାତ୍ର କିଛି ଦିନ ପରେ ପିଙ୍କିଙ୍କ ଉପରେ ସ୍ୱାମୀ ଦୀପକ ବେହେରା ଅତ୍ୟାଚାର ଆରମ୍ଭ କରିଥିବା ଅଭିଯୋଗ ହେଉଥିଲା। ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିଲା। ଗତ କାଲି ରାତିରେ ନବ ବଧୁର ମୃତ ଦେହ ଶୋଇବା ଘରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏ ନେଇ ମୃତକଙ୍କ ଭାଉଜ ଟାଙ୍ଗୀ ଥାନାରେ ଅଭିଯୋଗ କରିଵା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ପରେ ସ୍ୱାମୀ ଦୀପକ ବେହେରାଙ୍କୁ ପୋଲିସ ଅଟକ ରଖିଛି।

ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ସ୍ୱାମୀ ଦୀପକ କୌଣସି କାମ ଧନ୍ଦା ନକରି ଗାଁରେ ଜୁଆ ଖେଳି ଆସୁଥିଲା। ଫଳରେ ସ୍ତ୍ରୀର ଜିନିଷ ପତ୍ର ବିକା ଭଙ୍ଗା କରି ଖର୍ଚ୍ଚ କରୁଥିଲେ। ତେଣୁ ପରିଵାର ଭିତରେ ସଦା ସର୍ବଦା ଝଗଡା ଲାଗିରହୁଥିଲା।

ଗତ ୩ ଦିନ ତଳେ ଘରୁ ଏକ ମୋବାଇଲ ଫୋନ୍ ବନ୍ଧା ପକାଇବାକୁ କେନ୍ଦ୍ର କରି ଘରେ ତୁମୁଳ ସଂଘର୍ଷ ଲାଗିଥିବାର ଶୁଣିବାକୁ ମିଳିଥିଲା। ତେଣୁ ଏହି କାରଣରୁ ଗତ କାଲି ଏଭଳି ଅଘଟଣ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେଣୁ ପୋଲିସ୍ ର ଅନୁସନ୍ଧାନ ପରେ ପ୍ରକୃତ ତଥ୍ୟ ଲୋକ ଲୋଚନକୁ ଆସିବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.