ସୁନ୍ଦରଗଡ଼ର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ପରାଗ ହର୍ଷଦ ଗାଭାଲି…

add-all
ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ।

ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘‘ସୁନ୍ଦରଗଡ଼ ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜନସାଧାରଣଙ୍କ ସହଯୋଗ ଭିତ୍ତିରେ ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯିବ। ଜିଲ୍ଲାରେ ସ୍ୱାସ୍ଥ୍ୟ, ପୋଷଣ ଓ ଶିକ୍ଷା ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଜିଲ୍ଲାର ସାଧାରଣ ଲୋକେ ଯେପରି ବିଭିନ୍ନ ଯୋଜନାରୁ ସୁଫଳ ପାଇବେ ତା’ ଉପରେ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେବ।’’

୨୦୨୩ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଖେଳାଯିବ। ତେଣୁ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ସହ ଏହାର ସଫଳ ପରିଚାଳନା ଉପରେ ପ୍ରାଥମିକତା ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଆଦିବାସୀ ଓ ସାଧାରଣ ଲୋକଙ୍କ ପାଖରେ କିପରି ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ପହଞ୍ଚି ପାରିବ ତା’ ଉପରେ ସେ ବିଶେଷ ଗୁରୁତ୍ୱ ଦେବେ ବୋଲି ଜିଲ୍ଲାପାଳ ଏହି ଅବସରରେ କହିଥିଲେ।

ଡାକ୍ତର ପରାଗ ହର୍ଷଦ ଗାଭାଲି ହେଉଛନ୍ତି ୨୦୧୩ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ। ଏହା ପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

ad-week
Leave A Reply

Your email address will not be published.