ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ମୃତ୍ୟୁ ଘଟଣା, ମାମଲା ରୁଜୁ କଲେ OHRC

add-all

କଟକ: ଗତ ଗୁରୁବାର କଟକ କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଯୁବକ ଗୁଣନିଧି ବିଶୋୟୀ ଗତକାଲି ଆଖି ବୁଜିଛନ୍ତି। ଗୁଣନିଧିଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିଲା। କଟକର ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରି ସେ ଆଖି ବୁଜିଛନ୍ତି।

ଥାନା ସମ୍ମୁଖରେ ଏପରି ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ବେଳେ ଏନେଇ ନିଜ ଆଡୁ ମାମଲା କରି ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଘଟଣା ସଂପର୍କରେ ରିପୋର୍ଟ କରିବାକୁ ରାଜ୍ୟ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC । ପରବର୍ତ୍ତୀ ତାରିଖ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୁଲିସ୍‌ ସେବାକୁ 5T ସେବା ଅନ୍ତର୍ଭୁକ୍ତ କରାଯିବା ସତ୍ତ୍ୱେ ନ୍ୟାୟ ନ ପାଇ ଜଣେ ବ୍ୟକ୍ତି ନିଜ ଦେହରେ ନିଆଁ ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳକିଶୋର ଗତକାଲି କହିଥିଲେ । ଏଥିସହ କିଶନନଗର ଆଇଆଇସି ସସ୍ମିତା ରଣାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିପିଙ୍କୁ ସୁପାରିସ୍ କରିଥିବା ମଧ୍ୟ କହିଥିଲେ।

ଗୁଣନିଧିଙ୍କର ନିଜ ପୁତୁରା ସାଗର ବିଶୋୟୀଙ୍କ ସହ ଜମିବାଡ଼ି ବିବାଦ ଚାଲିଥିବା ବେଳେ ଏ ନେଇ ସେ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେଉଥିଲେ ଗୁଣନିଧି। ଗତ ଗୁରୁବାର ମଧ୍ୟ ସେ ଥାନାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ନିକଟରୁ କୌଣସି ସହଯୋଗ ପାଇ ନ ଥିଲେ। ଏହାପରେ ବାହାରକୁ ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି।

ad-week
Leave A Reply

Your email address will not be published.