ରଥଯାତ୍ରା ପ୍ରସ୍ତୁତି: ବଡ଼ଦାଣ୍ଡରେ ମକ୍‌ଡ୍ରିଲ

add-all

ଭୁବନେଶ୍ୱର: ଆଉ ମାତ୍ର ୨ ଦିନ ପରେ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥର କୋଭିଡ କଟକଣା ଉଠିଯାଇଥିବାରୁ ପୁରୀ ରଥ ଯାତ୍ରା ଦେଖିବାକୁ ଦେଶବିଦେଶରୁ ଲକ୍ଷାଧୀକ ଭକ୍ତଙ୍କ ସମାଗମ ହେବ । ରଥ ଯାତ୍ରା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତଥା କେହି ଗୁରୁତର ହେଲେ ତାଙ୍କୁ ତୁରନ୍ତ ପୁରୀ ବଡ଼ ମେଡିକାଲ କିପରି ପଠାଯିବ ସେଥିନିମନ୍ତେ ଚାଲିଛି ମକ୍‌ଡ୍ରିଲ ।

ପୁରୀ ବଡ଼ଦାଣ୍ଡରେ ହେବ ଗ୍ରୀନ୍‌ କରିଡର । ତୁରନ୍ତ ରୋଗୀଙ୍କୁ ଭିଡ଼ରୁ ବାହାର କରି କିପରି ମେଡିକାଲରେ ପହଞ୍ଚାଯିବ ସେଥିନିମନ୍ତେ ଆଜି ଚାଲିଛି ରିହର୍ସଆଲ ।

ରଥ ଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଗ୍ରୀନ କରିଡର କିପରି କାର୍ଯ୍ୟକ୍ଷମ ହେବ ସେ ନେଇ ଚାଲିଥିବା ମକଡ୍ରିଲରେ ହଜାର ହଜାର ସଂଖ୍ୟାରେ ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି । ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି ।

ପୂର୍ବରୁ ୨୦୧୫ ଓ ୨୦୧୯ ମସିହାରେ ଗ୍ରୀନ କରିଡର ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏଥର ବି ତାହା ସମ୍ପୂର୍ଣ୍ଣ ସଫଳ ହେବ ବୋଲି କହିଛନ୍ତି ଟ୍ରାଫିକ ଡିପାର୍ଟମେଣ୍ଟ ମୁଖ୍ୟ ଲିଙ୍ଗରାଜ ମିଶ୍ର । ଏଥର ୫ ହଜାରରୁ ୮ ହଜାର ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି। ପୁରୀ ରଥଠାରୁ ମେଡିକାଲ ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀମାନେ ଲାଇନ୍‌ରେ ରହିବେ। ସେମାନେ ଗ୍ରୀନ କରିଡର କରିବା ପରେ ରୋଗୀଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଯାଇ ପାରିବ ବୋଲି କହିଛନ୍ତି ପୁରୀ ଏଡିଏମ୍‌ ।

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଚଳିତ ରଥଯାତ୍ରା ନିମନ୍ତେ ପୁରୀରେ ୬୯ଟି ଫାଷ୍ଟଏଡ୍ କେନ୍ଦ୍ର ଖୋଲାଯାଇଛି । ୫୮ଟି ଆମ୍ବୁଲାନ୍ସ ସର୍ଭିସ୍, ୧୧୪ଟି ଷ୍ଟ୍ରେଚର ସର୍ଭିସ ବ୍ୟବସ୍ଥା ହୋଇଛି। ୧୪୫ ଡାକ୍ତର, ୭ ଫୁଡ୍ ସେଫ୍ଟି ଅଫିସର, ୪୦ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯିବେ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ୩୦ ନର୍ସିଂ ଅଫିସର, ୪୫ ହେଲଥ୍‌ ଅଫିସର, ହସ୍ପିଟାଲ ବ୍ୟବସ୍ଥା କରାଯାଇଛି।

ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ଟି ବେଡ୍ ବ୍ୟବସ୍ଥା ହୋଇଛି । ପ୍ରବଳ ଗୁଳୁଗୁଳି ଦୃଷ୍ଟିରୁ ୨୬ଟି ଏସି ବେଡର ବ୍ୟବସ୍ଥା କରାଯାଇଛି । ପୁରୀ ହସ୍ପିଟାଲରେ ୨୦୦ ୟୁନିଟ୍ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ୍ ବ୍ୟାଙ୍କ ପ୍ରସ୍ତୁତ ରଖାଯାଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ। ପୁରୀରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ୫୦ ହଜାରକୁ ବଢ଼ାଯିବ। ଆଣ୍ଟିଜେନ୍ ଟେଷ୍ଟ ସହ ଟିକାକରଣ ବଢ଼ାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଦର୍ଶନ କରିବା ପରେ ଭିଡ଼ ନ କରି ଜାଗା ଛାଡ଼ନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ ବଢ଼ୁଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିବା ବେଳେ ଆଲାରାମିଂ ସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ad-week
Leave A Reply

Your email address will not be published.