ଅମରନାଥ ପରେ ଡୋଡାରେ ବାଦଲଫଟା ବର୍ଷା, ଧସିଲା ରାସ୍ତା

add-all

ଶ୍ରୀନଗର: ଅମରନାଥ ପରେ ଜମ୍ମୁକଶ୍ମୀରର ଡୋଡାରେ ବାଦଲଫଟା ବର୍ଷା ହୋଇଛି। ଏଥିଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ରାସ୍ତା ଧସିଯାଇଛି। ମାଟି ତଳେ ଶହ ଶହ ଗାଡି ପୋତି ହୋଇ ରହିଥିବା ଦେଖିବାକୁ ମିଳିଛି। ହଠାତ ବାଦଲ ଫଟା ବର୍ଷା ପାଇଁ ଗୁଣ୍ଟି ଜଙ୍ଗଲ ଦେଇ ଯାଇଥିବା ଜାତୀୟ ରାଜପଥ ପ୍ରଭାବିତ ହୋଇଛି । ଏଠାରେ ଆଖପାଖ ପାହାଡରୁ ପଥର ଖସି ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି।
ସୂଚନାନୁସାରେ, ଶନିବାର ଭୋରୁ ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନରେ ବଡ ବଡ ପଥର ଖଣ୍ଡ ପାହାଡରୁ ଖସି ପଡିଥିଲା। ଏପରିକି ରାସ୍ତାରେ ପଥର ଖସିବା ଫଳରେ ଯାନବାହନ ଫସି ରହିଛି। କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଇଥିଲା, କିନ୍ତୁ ଏବେ ସ୍ୱାଭାବିକ ହୋଇଯାଇଛି। ରାସ୍ତାରୁ ପଥର ଖଣ୍ଡ ତଥା ମାଟି ଉଠାଇବା ଓ ଫସି ରହିଥିବା କାର୍‌କୁ ଉଦ୍ଧାର କରିବା ପାଇଁ ଜେସିବି ଅଣାଯାଇଛି।
କେବଳ ରାସ୍ତାଘାଟ ନୁହେଁ, ଏଠାରେ ଥିବା ଏକ ଆର୍ମି କ୍ୟାମ୍ପରେ ମଧ୍ୟ ପାଣି ପଶିଯାଇଥିବା ସୂଚନା ମିଳିଛି। କିଛି ଘର ଦବି ଯାଇଥିବା ଜଣାପଡିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।
ସୂଚନାଯୋଗ୍ୟ, ଶୁକ୍ରବାର ଅମରନାଥ ଯାତ୍ରା ବେଳେ ବାଦଳଫଟା ବର୍ଷା ହୋଇଥିଲା। ଯେଉଁଥିରେ ୧୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଏହାପରେ ଭୂମିକମ୍ପରେ ଥରିଥିଲା କାଶ୍ମୀରଘାଟି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା।

ad-week
Leave A Reply

Your email address will not be published.