
ମୁମ୍ବାଇ: କଥା ଦେଇ କଥା ରଖିଲେ ନୂଆ ମୁଖ୍ୟମନ୍ତ୍ରୀ। ମହାରାଷ୍ଟ୍ରରେ ପେଟ୍ରୋଲ ଦର କମିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତୈଳ ଉପରେ ଭାଟ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଦର ଲିଟର ପ୍ରତି ୫ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୩ ଟଙ୍କା ହ୍ରାସ ପାଇଛି। ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ବାର୍ଷିକ ୬୦୦୦ କୋଟି ଟଙ୍କା ଭାଟ ହ୍ରାସ କରାଯାଇଛି। ଅର୍ଥାତ ଏହି ଆର୍ଥିକ ବୋଝ ରାଜ୍ୟ ସରକାର ବହନ କରିବେ। ଆସନ୍ତାକାଲିଠାରୁ ରାଜ୍ୟର ନୂଆ ଦର ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି । ଶିବସେନା-ବିଜେପି ମିଳିତ ସରକାରରେ ଏହି ନିଷ୍ପତ୍ତି ନିଆଯାଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପ୍ରତି ୧୧୧ ଟଙ୍କା ଥିବା ବେଳେ ଡିଜେଲ ୯୮୭ ଟଙ୍କା ରହିଛି। ରାଜ୍ୟର ଶାସନ ଭାର ନେବା ପରେ ଏକନାଥ ସିନ୍ଦେ କିଛି ଦିନ ତଳେ ତୈଳ ଉପରରୁ ରାଜ୍ୟ ସରକାର ଭାଟ ହ୍ରାସ ନେଇ ଘୋଷଣା କରିଥିଲେ।
ଦେଶର ଅଧିକାଂଶ ବିଜେପି ଶାସିତ ରାଜ୍ୟ ତେଲ ଉପରେ ଟ୍ୟାକ୍ସ ହ୍ରାସ କରିଥିବା ବେଳେ ବିରୋଧୀ ଶାସକମାନେ ଏହି ଫର୍ମୁଲା ଆପଣାଇବାକୁ ଅମଙ୍ଗ ହୋଇଛନ୍ତି। ଗତ ବଷ ନଭେମ୍ବର ମାସରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ଅଧିକାଂଶ ବିଜେପି ଶାସିତ ରାଜ୍ୟ ମଧ୍ୟ ତେଲ ଉପରୁ ଭାଟ ହ୍ରାସ କରିଛନ୍ତି।
ତେଲ ଦର ଆକାଶ ଛୁଆଁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଟ ହ୍ରାସ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିରୋଧୀ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସିନ୍ଦେ ସରକାର ଆସିବା ପରେ ସେ ତୈଳ ଦର ଉପରୁ ଭାଟ ହ୍ରାସ ନେଇ ଘୋଷଣା କରିଛନ୍ତି।