ସୋନିଆ ଗାନ୍ଧି ହେଉଛନ୍ତି ବାଘୁଣୀ : ମଲ୍ଲିକାର୍ଜୁନ ଖାଡ଼ଗେ

add-all

ନୂଆଦିଲ୍ଲୀ: ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ନୋଟିସ୍‌ ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏନେଇ ବୁଧବାର ଦଳ ପକ୍ଷରୁ ବରିଷ୍ଠ ନେତାଙ୍କ ବୈଠକରେ ନିଷ୍ପତ୍ତି ହୋଇଛି।
କରୋନାରୁ ସୁସ୍ଥ ହେବା ପରେ ସୋନିଆ ଗାନ୍ଧିଙ୍କୁ ଜୁଲାଇ ୨୧ରେ ଇଡିରେ ହାଜର ପାଇଁ ନୋଟିସ୍‌ ହୋଇଛି। ଏହି ଦିନ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି।
ଆଜି ମଧ୍ୟ କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏହି ବୈଠକକୁ ସମସ୍ତ ସାଧାରଣ ସମ୍ପାଦକ ଏବଂ ସମସ୍ତ ରାଜ୍ୟର ପିସିସି ସଭାପତିମାନଙ୍କୁ ଡକାଯାଇଛି। ଏଥିରେ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା ହେବ। ଆଜିର ବୈଠକରେ ରାଜ୍ୟସଭା ବିରୋଧୀ ନେତା ମଲ୍ଲିକାର୍ଜୁନ ଖାଡ଼ଗେ, କଂଗ୍ରେସର ସାଧାରଣ ସମ୍ପାଦକ ମୁକୁଲ ୱାସନିକ୍‌, ଅଜୟ ମାକେନ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ତେଣୁ ଏହି ସମୟରେ କଂଗ୍ରେସ ଏମପି ମାନେ ସଂସଦ ଭିତରେ ବିକ୍ଷୋଭ କରିପାରନ୍ତି।
ଗତକାଲି ବୈଠକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ, ସୋନିଆ ଗାନ୍ଧି ହେଉଛନ୍ତି ବାଘୁଣୀ। ତେଣୁ ସେ ଏସବୁ ଜିନିଷକୁ ଭୟ କରନ୍ତି ନାହିଁ। ସେ ଏମିତି କେତେ ଘଟଣା ଦେଖିଛନ୍ତି। ସେ ଇଡି କାର୍ଯ୍ୟାଳୟକୁ ନିର୍ଭୟରେ ଯିବେ ଏବଂ ସରକାରଙ୍କୁ ସାମ୍ନା କରିବେ।
ଅନ୍ୟପକ୍ଷରେ ନ୍ୟାସନାଲ ହେରାଲଡ୍‌ ମାମଲାରେ ପ୍ରକୃତ ସତ୍ୟ କ’ଣ, ସେ ନେଇ କଂଗ୍ରେସ ଏକ ଇସ୍ତାହାର ଛାପି ଲୋକଙ୍କୁ ବାଣ୍ଟିବାର ଯୋଜନା କରୁଥିବା ସୂଚନା ମିଳିଛି।
ନ୍ୟାସପାଲ ହେରାଲଡ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାନି ସମନ କରିଛି। ଆସନ୍ତା ଜୁଲାଇ ୨୧ରେ ତାଙ୍କୁ ଇଡିରେ ହାଜାର ହେବାକୁ ନୋଟିସ ହୋଇଛି। କୋଭିଡ୍‌ରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା, ଯାହା ଜୁଲାଇ ୨୨ରେ ସରିବାର ଥିଲା। ନ୍ୟାସନାଲ ହେରାଲଡ୍‌ ମାମଲାରେ ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଜୁନ୍‌ ୮ ତାରିଖରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କୋଭିଡରେ ସଂକ୍ରମିତ ହେବାଯୋଗୁ ସମୟ ମାଗିଥିଲେ।
ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇସାରିଛନ୍ତି। ସେ ଇଡିରେ ହାଜର ବେଳେ କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ମୋଦି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଙ୍ଗାମା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବିକ୍ଷୋଭକାରୀଙ୍କୁ ପୁଲିସ ଗିରଫ କରିଥିଲା।

ad-week
Leave A Reply

Your email address will not be published.