ଜବତ ଆକାଉଣ୍ଟକୁ ଚାଲୁ କରିବା ପାଇଁ ୯୫୦ କୋଟି ଦେବ ଭିଭୋ

add-all

ନୂଆଦିଲ୍ଲୀ: ଚାଇନିଜ ସ୍ମାର୍ଟଫୋନ ମେକର ଭିଭୋକୁ ସର୍ତ୍ତମୂଳକ ଆଶ୍ୱସ୍ତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନି ଲଣ୍ଡରିଂ ମାମଲାରେ ଫସିଥିବା କମ୍ପାନୀର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। ଏବେ ଏଗୁଡ଼ିକୁ ପୁଣି ଚାଲୁ କରିବା ପାଇଁ ଭିଭୋକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ହେଲେ ଏଥିପାଇଁ କମ୍ପାନୀ ଇଡି ନିକଟରେ ୯୫୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟୀ ସପ୍ତାହ ମଧ୍ୟରେ ଦାଖଲ କରିବ। ଏହାପରେ ଜବତ ଆକାଉଣ୍ଟଗୁଡ଼ିକ କମ୍ପାନୀ ଚାଲୁ କରିପାରିବ।
ଏଥିସହ ଜଷ୍ଟିସ ଯଶବନ୍ତ ବର୍ମା ଭିଭୋକୁ ଟଙ୍କା କେଉଁମାନଙ୍କୁ ପଠାଇବ, ତା’ର ବିସ୍ତୃତ ତଥ୍ୟ ମଧ୍ୟ ଇଡିକୁ ଦେବାକୁ କହିଛନ୍ତି। ଇଡି କମ୍ପାନୀର ବିଭିନ୍ନ ଆକାଉଣ୍ଟକୁ ଜବତ କରିଥିବାରୁ ଏହାକୁ ରଦ୍ଦ କରିବାକୁ ଭିଭୋ ପକ୍ଷରୁ ଆବେଦନ କରାଯାଇଛି। ତେଣୁ ଏହା ଉପରେ ଜବାବ ରଖିବାକୁ କୋର୍ଟ ଇଡିକୁ ନୋଟିସ କରିଛନ୍ତି। ବର୍ତ୍ତମାନ ଭିଭୋ ୧୨ଶହ କୋଟି ଟଙ୍କାର ହେରଫେର କରିଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିବା ଦାବି କରିଛି।
କୋର୍ଟ ଆହୁରି କହିଛନ୍ତି ଯେ କମ୍ପାନୀ ତା’ର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ୨୫୧ କୋଟି ଟଙ୍କା ରଖିବ। କାରଣ ଜବତ ବେଳେ ଆକାଉଣ୍ଟ ଗୁଡ଼ିକରେ ୨୫୧ କୋଟି ଟଙ୍କା ରହିଥିଲା। ଏହି ଟଙ୍କାକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କମ୍ପାନୀ ବ୍ୟବହାର କରିପାରିବ ନାହିଁ। ଇଡି ସପ୍ତାହକ ମଧ୍ୟରେ ଜବାବ ଦାଖଲ କରିବା ପରେ ଜୁଲାଇ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଜୁଲାଇ ୫ରେ ଇଡି ଭିଭୋ ଓ ଏହା ସହ ଜଡ଼ିତ ଏକାଧିକ ଫାର୍ମରେ ରେଡ କରିଥିଲା। ଏହାପୂର୍ବରୁ କମ୍ପାନୀ ନାଁରେ ତଦନ୍ତକାରୀ ସଂସ୍ଥା ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହାକୁ ଆଧାର କରି ଇଡିର ଏକାଧିକ ଟିମ ଦିଲ୍ଲୀ, ଉତ୍ତର ପ୍ରଦେଶ, ମେଘାଳୟ ଓ ମହାରାଷ୍ଟ୍ରରେ ରେଡ କରିଥିଲେ। ଏହି ସମୟରେ ଭିଭୋର ଆକାଉଣ୍ଟଗୁଡ଼ିକ ଜବତ କରାଯାଇଥିଲା।

ad-week
Leave A Reply

Your email address will not be published.