ନାଟକ ହେବ ଅପସଂସ୍କୃତି ରହିତ : ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ

add-all

ବ୍ରହ୍ମପୁର, (୧୫/୦୭) : ମା’ କୁରେଈଶୁଣୀ ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ସ୍ଥାନୀୟ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଏଣିକି ଲୋକ ନାଟକ ଅପସଂସ୍କୃତି ବିହୀନ ପରିବେଷଣ ହେବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସଂଘ ଉପଦେଷ୍ଟା ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ନାଟ୍ୟ ସଂଘ ସଭାପତି ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀ, ବର୍ଷୀୟାନ ଗୁରୁ ଉଦୟନାଥ ମହାରଣା, ଗୁରୁ ଦୁର୍ଯୋଧନ ସ୍ୱାଇଁ, ଗୁରୁ ସୁଦାମ ପ୍ରଧାନ, ଗୁରୁ ଧର୍ମରାଜ ସ୍ୱାଇଁ, ଗୁରୁ ସଞ୍ଜୟ କୁମାର ବିଷୋୟୀ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ସଂପ୍ରତି ଗ୍ରାମୀଣ ନାଟ୍ୟ ସଂସ୍କୃତି କ୍ଷେତ୍ରରେ ଦେଖାଦେଇଥିବା ଅପସଂସ୍କୃତିର ପ୍ରତୁଳତା ଘେନି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ ।

ସଂଘ ପକ୍ଷରୁ ନିର୍ଦ୍ଦେଶକ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ସହିତ ଏଣିକି ଅପସଂସ୍କୃତି ରହିତ ନିଛକ ନାଟକ ପରିବେଷଣ ଉପରେ ଦୃଢ଼ ନିଷ୍ପତି ନିଆଗଲା । ମଞ୍ଚରେ ଯାନ ବାହାନ ଚାଳନା, ଅଭକ୍ଷ ଭକ୍ଷଣ, ସର୍କସ୍ ଖେଳ ଭଳି ଅବାସ୍ତବ ଅଭିନୟ ଆଦି ବନ୍ଦ କରାଯାଇ କେବଳ ଅଭିନୟ ମାଧ୍ୟମରେ ନାଟକ ଗତିଶୀଳ କରାଇବା ନେଇ ସ୍ଥିର କରାଗଲା । ଏ ବୈଠକରେ ଗୁରୁ ଶ୍ରୀ ରାମ ଚନ୍ଦ୍ର ପ୍ରଧାନ, ମୋହନ ପାତ୍ର, ପିଣ୍ଟୁ ମହାପାତ୍ର, ବୁଲୁ ସାହୁ, ଡି. ରାମେୟା, ସନାତନ ନାୟକ, ଗଜେନ୍ଦ୍ର ସ୍ୱାଇଁ, ପଙ୍କଜ କୁଣ୍ଡ, ନିରଞ୍ଜନ ବିଷୋୟୀ, ହରିହର ମହାରଣା, ବନଜ କୁମାର ସାହୁ ପ୍ରମୁଖ ବହୁ ନାଟ୍ୟ ଗୁରୁ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସଂଘ ସମ୍ପାଦକ ଗୁରୁ ପ୍ରତାପ ପ୍ରଧାନ ସଂଘର ଆଗାମୀ ବୈଠକ ଅଗଷ୍ଟ ୧୪ ତାରିଖରେ ବସିବା ସୂଚନା ଦେଇ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.