ଜାତୀୟ ତୈଳ କୋଟା ଯୋଜନା ଲାଗୁ କରିବେ ଶ୍ରୀଲଙ୍କା ସରକାର

add-all

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଯାଇଛି। ଲୋକମାନେ ତେଲ ପାଇଁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି। ଏହାକୁ ମୁକାବିଲା ପାଇଁ ଶ୍ରୀଲଙ୍କା ସରକାର ଜାତୀୟ ତୈଳ କୋଟା ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ସରକାର ଲୋକମାନଙ୍କୁ ନିଜର କୋଟା ହିସାବରେ ତେଲ ଯୋଗାଇ ଦେବେ।
ଗ୍ୟାରେଣ୍ଟୀ ତୈଳ ଯୋଗାଣ ପାଇଁ ଗୋଟିଏ ଜାତୀୟ ଆଇଡି କାର୍ଡ ମଧ୍ୟ ଉପଲବ୍ଧ କରାଯିବ। ଏହି କାର୍ଡ ଦେଖାଇ ଲୋକମାନେ ସେମାନଙ୍କ କୋଟା ଅନୁସାରେ ତେଲ ନେଇପାରିବେ। ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ଗାଡ଼ିର ଚେସିସ ନମ୍ବର ଓ ତଥ୍ୟକୁ ଯାଞ୍ଚ କରାଯିବା ପରେ ଗୋଟିଏ କ୍ୟୁଆର କୋଡ ଦିଆଯିବ। ଏହାପରେ ନମ୍ବର ପ୍ଲେଟର ଶେଷ ସଂଖ୍ୟା ଅନୁସାରେ ଲୋକମାନଙ୍କୁ ସାପ୍ତାହିକ ୨ ଦିନ ଆବଶ୍ୟକ ଅନୁଯାୟୀ ତେଲ ଯୋଗାଇ ଦିଆଯିବ। ଏହାଦ୍ୱାରା ସମସ୍ତଙ୍କୁ ସମାନ ପରିମାଣର ତୈଳ ମିଳିପାରିବ ବୋଲି ସରକାର ଆଶା ରଖିଛନ୍ତି। ତେବେ କାହାକୁ କେତେ ପରିମାଣର ତେଲ ମିଳିବ, ସେକଥା ଏଯାଏ ଜଣାପଡ଼ିନି।
ଗୁରୁବାର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବା ପରେ ଦେଶରେ ସ୍ଥିତି ଧୀରେଧୀରେ ସ୍ୱାଭାବିକ ହେଉଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ତୈଳ ବିତରଣ ପାଇଁ ନୂଆ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା କଳାବଜାରୀ ଓ ବେଆଇନ ହୋର୍ଡିଂକୁ ରୋକା ଯାଇପାରିବ। ଏଥିସହ ଶ୍ରୀଲଙ୍କାବାସୀଙ୍କୁ ସମାନ ଅନୁପାତରେ ତେଲ ମଧ୍ୟ ବଣ୍ଟା ଯାଇପାରିବ।
ଏବେ ବିଭିନ୍ନ ଗ୍ୟାସ ଷ୍ଟେସନରେ ଲୋକମାନେ ତେଲ ପାଇଁ ଦୀର୍ଘ କିମି ଯାଏ ଲାଇନ ଲଗାଉଛନ୍ତି। ତୈଳ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ କରାଯାଇଛି। ସେହିପରି ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.