
ହିଂଜିଳିକାଟୁ (୧୯ା୭) : ପ୍ରାକ ସାବଧାନ ପାଇଁ ପ୍ରଦାନ କରାଯାଉଥିବା ମାଗଣା ବୁଷ୍ଟର ୩ୟ ଡ଼ୋଜ କୋଭିଡ-୧୯଼ ଟିକା କେନ୍ଦ୍ର ହିଂଜିଳିକାଟୁରେ ବନ୍ଦ ହେତୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବରୁ ସୂଚନା ନଥିବା କାରଣରୁ ମଙ୍ଗଳବାର ଟିକା ପାଇଁ ପୁରୁଣା ଡ଼ାକ୍ତରଖାନା ଟିକା କେନ୍ଦ୍ରକୁ ଯାଇ ବହୁ ଲୋକ ଅସନ୍ତୋଷ ବ୍ୟକ୍ତ କରି ଫେରିଛନ୍ତି । ଟିକା କେନ୍ଦ୍ର କାହିଁକି ବନ୍ଦ ରହିଛି? କେବେ ଖୋଲିବ ? ଏଥି ନେଇ ଲୋକଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇନଥିବାରୁ ବହୁ ଲୋକ ଉତ୍ୟକ୍ତ ହୋଇ ଟୀକା କେନ୍ଦ୍ରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗତ ଶୁକ୍ରବାର, ଶନିବାର ଓ ସୋମବାର ହିଂଜିଳିକାଟୁ ପୁରୁଣା ଡ଼ାକ୍ତରଖାନାରେ ଟୀକା ପ୍ରଦାନ ହୋଇଥିଲା । ୩ଦିନରେ ପ୍ରାୟ ୯ଶହ ଜଣଙ୍କୁ ୩ୟ ଡ଼ୋଜ ବୁଷ୍ଟର ଟିକା ପ୍ରଦାନ ପରେ ଟୀକା ସରିଯାଇଛି । କୋଭାକ୍ସିନର କିଛି ମାତ୍ରା ଥିବା ବେଳେ କୋଭିସିଲ୍ଡ ଅଭାବରୁ ମଙ୍ଗଳବାର ଟୀକାଦାନ କେନ୍ଦ୍ର ବନ୍ଦ କରାଯାଇଥିଲା । ବୁଧବାର ହିଂଜିଳିକାଟୁ ସ୍ୱୟଂଶାସିତ କଲେଜ, ଖମ୍ବେୟାଦୋରା କଲେଜ ପୋଚିଲିମା ଓ ସରକାରୀ ଆଇଟିଆଇ ପୋଚିଲିମାର ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଶିକ୍ଷାନୁଷ୍ଠାନ ପରିସରରେ କୋଭାକ୍ସିନ ଟୀକା ପ୍ରଦାନ କରାଯିବାକୁ ସ୍ଥିର ହୋଇଛି ବୋଲି ଟୀକା କେନ୍ଦ୍ରର ସୁପରଭାଇଜର ଅଶୋକ କୁମାର ମିଶ୍ର କହିଛନ୍ତି । ପ୍ରକାଶ ଯେ, ଅଂଚଳରେ ଉଭୟ କୋଭିସିଲ୍ଡ ୭୫ଭାଗ ଓ କୋଭାକ୍ସିନ ଟୀକା ୨୫ ଭାଗ ଲୋକ ଟୀକା ଗ୍ରହଣ କରିଛନ୍ତି