ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ବାନ୍ଧିଲା ଇଡି, ସହଯୋଗୀଙ୍କ ଘରୁ ମିଳିଥିଲା ୨୦ କୋଟି

add-all

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଶୁକ୍ରବାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ କରାଯାଇଥିଲା।
ରେଡ୍‌ ବେଳେ ମନ୍ତ୍ରୀ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ମିଳିଥିଲା। ରେଡ୍‌ର ଦିନକରେ ପରେ ଇଡି ପାର୍ଥଙ୍କୁ ଗିରଫ କରିଛି। ସେହିପରି ଆଜି ମଧ୍ୟ ପାର୍ଥଙ୍କ ସମେତ ତାଙ୍କ ସହଯୋଗୀ ଓ ଟିଏମସିର କିଛି ନେତାଙ୍କ ଘରେ ରେଡ ଜାରି ରହିଛି।
ଇଡି ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରିବା ଖବର ପ୍ରକାଶ ପାଇବା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସିକୁ ଟାର୍ଗେଟ କରିଥିଲେ। ସେ ଇଡି ରେଡକୁ ନେଇ କହିଥିଲେ ଯେ “ଏହା କେବଳ ଟ୍ରେଲର, ଆଗକୁ ପୂରା ଫିଲ୍ମ ଦେଖିବାକୁ ମିଳିବ।” ତାଙ୍କର ଏହି ଟ୍ୱିଟ ପରେ ହିଁ ଇଡି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ତମାମ ଶିକ୍ଷା ନିଯୁକ୍ତିରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଇଡିର ଅଧିକାରୀମାନେ ପାର୍ଥ ଚାଟାର୍ଜୀଙ୍କୁ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ ଇଡି ଅଫିସକୁ ଅଣାଯାଇଛି। ପାର୍ଥ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ସିବିଆଇ ତାଙ୍କୁ ଏପ୍ରିଲ ୨୬ ଓ ମେ’ ୧୮ରେ ଦୁଇ ଥର ଜେରା କରିଥିଲା। ଏହାପରେ ଇଡି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଇଡି ଶୁକ୍ରବାର ପାର୍ଥ ଚାଟାର୍ଜୀଙ୍କ ସମେତ ବେଙ୍ଗଲର ଶିକ୍ଷା ରାଜ୍ୟ ମନ୍ତ୍ରୀ ପରେଶ ସି ଅଧିକାରୀ, ବିଧାୟକ ତଥା ପଶ୍ଚିମବଙ୍ଗର ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ସଭାପତି ମାନିକ ଭଟ୍ଟାଚାର୍ଯ୍ୟ, ଅର୍ପିତା ମୁଖାର୍ଜୀ ଓ ଅନ୍ୟ କିଛି ନେତାଙ୍କ ଠିକଣାରେ ରେଡ୍‌ କରିଥିଲେ।
ଅର୍ପିତା ମୁଖାର୍ଜୀ ହେଉଛନ୍ତି ପାର୍ଥଙ୍କ ଘନିଷ୍ଠ ସହଯୋଗୀ। ସେ ୨୦୧୯ ଓ ୨୦୨୦ରେ ପାର୍ଥଙ୍କ ଦୁର୍ଗା ପୂଜା କମିଟିର ବିଜ୍ଞାପନ ଦାୟିତ୍ୱରେ ଥିଲେ। ଅର୍ପିତା ମୁଖାର୍ଜୀ ଏକାଧିକ ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଏଥିସହ ଅନେକ ସମୟରେ ପାର୍ଥ ଓ ତାଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳେ। ଏହି କାରଣରୁ ଇଡି କାଲି ଅର୍ପିତାଙ୍କ ଠିକଣାରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ନଗଦ ୨୦ କୋଟି ଟଙ୍କା ମିଳିଛି। ଏହି ଟଙ୍କା ଶିକ୍ଷା ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ମିଳିଥିବା ଇଡି ସନ୍ଦେହ କରୁଛି। ଏଥିସହ ଅର୍ପିତାଙ୍କ ଠିକଣାରୁ ୨୦ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

ad-week
Leave A Reply

Your email address will not be published.