
ଭୁବନେଶ୍ବର: ରାଜ୍ୟରେ ଏବେ ଛତୁ ଫୁଟିବା ଭଳି ୱେବ ମିଡ଼ିଆ ଚ୍ୟାନେଲ ଖୋଲିଛି । ପ୍ରତିଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ସୋସିଆଲ ମିଡ଼ିଆରେ ବିଭିନ୍ନ ନାଁ ଓ ଲୋଗୋ ଥିବା ୱେବ ମିଡ଼ିଆ ଏବେ ସାମ୍ନାକୁ ଆସୁଛି । ଏହି ସଂଖ୍ୟା ଶତାଧିକ ମଧ୍ୟ କମ ନୁହେଁ କିନ୍ତୁ ସରକାରଙ୍କ ତଥ୍ୟ ଆପଣଙ୍କୁ ଚକିତ କରିବ ।
କାରଣ ବିଧାନସଭାରେ ସରକାର ରଖିଥିବା ଉତ୍ତର ଅନୁଯାୟୀ, ରାଜ୍ୟରେ କେବଳ ୪୮ଟି ପଞ୍ଜିକୃତ ୱେବ ମିଡ଼ିଆ ରହିଛି ।
ରାଜ୍ୟରେ କେତେ ସଂଖ୍ୟାରେ ୱେବ୍ ଚ୍ୟାନେଲ ଓ ପୋର୍ଟାଲ ରହିଛି । ସେମାନଙ୍କୁ ସରକାର ନିଜ ଅଧିନକୁ ଆଣିବେ କି? ଏହାଛଡା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ଖବରକାଗଜ ନାଁରେ ବିଭିନ୍ନ ୱେବ ଚ୍ୟାନେଲ ଖୋଲାଯାଇଛି ତାହାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି କି? ଏନେଇ ବିଧାନସଭାରେ ବିଧାୟକ ଅଙ୍ଗଦ କହଁର ପ୍ରଶ୍ନ ଉଠାଇଥିଲେ । ଆଉ ଏହାର ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ଯେ, ରାଜ୍ୟରେ କାମ କରୁଥିବା ୱେବ ଚ୍ୟାନେଲ ଗୁଡିକୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ୱେବ୍ ମିଡ଼ିଆ ପଲିସି କାର୍ଯ୍ୟକାରୀ କରିଛନ୍ତି । ଏହି ପଲିସି ଅନୁସାରେ ରାଜ୍ୟରେ ୪୮ଟି ୱେବ୍ ଚ୍ୟାନେଲ ପଞ୍ଜିକୃତ ହୋଇଛି । ଏହାଛଡା ଯେଉଁ ଖବରକାଗଜ ଗୁଡିକ ସୂଚନା ଓ ଲୋକ ସମ୍ପର୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସେମାନଙ୍କୁ ସେହି ନାଁରେ ୱେବ୍ ଚ୍ୟାନେଲ ଖୋଲିବାକୁ ଅନୁମତି ମିଳିପାରିବ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ପ୍ରଶ୍ନ ଉଠୁଛି ୪୮ଟି ୱେବ୍ ଚ୍ୟାନେଲ ସ୍ୱୀକୃତିପ୍ରାପ୍ତ ହୋଇଥିଲେ ମଧ୍ୟ କିଭଳି ଏତେ ସଂଖ୍ୟାରେ ୱେବ୍ ମିଡ଼ିଆ ଖବର ପ୍ରସାରଣ କରୁଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।